ତୁମ ସମ୍ମାନେ
ତୁମ ସମ୍ମାନେ
ତୁମେ ମାର୍ଗ ଦର୍ଶକ,
କଢେଇ ନିଅ ବାଟ,
ବଣେ ଅବଣେ,
କେବେ ଚିହ୍ନା ଚିହ୍ନା,
ତ ପୁଣି କେବେ ଅଦୃଶ୍ୟ,
ଅପରିଚିତ ରାସ୍ତା ଦେଇ,
ଏକ ଉତ୍କୃଷ୍ଟ, ଉପଯୁକ୍ତ ଲକ୍ଷ୍ୟ ଆଡ଼େ।
ତୁମେ ଦାର୍ଶନିକ,
ମୋ ଅନ୍ତରେ ଲୁକ୍କାୟିତ,
ପ୍ରକୃତ ତତ୍ତ୍ଵର ଉଦ୍ଭାବକ,
ତୁମ ବିନା ମୁଁ,
ଅବୋଧ ଅକର୍ମଣ୍ୟ ପ୍ରାଣୀଟିଏ ମାତ୍ର,
ଚିର ସହାୟକ ତୁମେ,
ମୋ ଜଣା ଅଜଣା ଗତିପଥେ ।
ତୁମେ ପ୍ରତିବିମ୍ବ,
ସ୍ଥିରତା, ଦୃଢ଼ତା, ନମନୀୟତାର,
ସ୍ୱଚ୍ଛାଚାରିତା , ଶିଷ୍ଟାଚାରିତା,
ତଥା ସମୟାନୁବର୍ତ୍ତୀତାର,
ଯାହା ଦିଗଦର୍ଶନ କରାଏ,
ଆଗେଇ ଚାଲିବାକୁ,
ଏକ ମୂଲ୍ୟବୋଧକ ସମାନ୍ତରାଳର ଧାରେ ଧାରେ।
ତୁମେ ପ୍ରଶଂସକ,
ମୋ ସାଫଲ୍ୟତା, କୃତକାର୍ଯ୍ୟତାର,
ବିପଥଗାମୀ ହୋଇ,
ନିସ୍ଫଳତାର ଗର୍ତ୍ତ ମାନ ଡେଇଁଲା ବେଳେ,
ଅବା ସେଇ ଗର୍ତ୍ତେ ପଡିରହି,
ଅଣନିଃଶ୍ବାସୀ ହେଲାବେଳେ,
ପ୍ରୋତ୍ସାହନର ଉତ୍ସ ସାଜି ,
ଉଦ୍ଧାର କରନ୍ତି,
ତୁମ ପ୍ରେରଣା ପଦ ଶବ୍ଦ ମାନେ।
ତୁମେ ସମାଲୋଚକ,
ମୋ ବ୍ୟକ୍ତିତ୍ଵର ,
ତିରସ୍କାରକ,
ମୋ ଅପକର୍ମ, ଅପଯଶ, ଦୁଷ୍କର୍ମର,
ତୁମ ସମାଲୋଚନାରେ ଲୁଚା,
ଅଯଶ୍ର ସ୍ନେହ, ସରଧା, ଉଦାରତା,
ଯାହା ସତର୍କତାର ସହ ,
ସତପଥଗାମୀ କରାଏ ମତେ।
ତୁମେ ଗୁରୁ,
ତୁମେ ଆଚାର୍ଯ୍ୟ, ତୁମେ ଶିକ୍ଷକ,
ସର୍ବେ ଆଦର୍ଶର ପ୍ରତିମୂର୍ତ୍ତି,
ଜ୍ଞାନର ଗନ୍ତାଘର,
ଶତ ନାମ ତୁମର,
ଶତ ଗୁଣ ତୁମ ଠାରେ,
ତୁମ ଇତି ବୃତ୍ତି ସ୍ଥିତି,
ସବୁ କେବଳ ଶିକ୍ଷା ଶିକ୍ଷା ଶିକ୍ଷା ,
ମୋର ପ୍ରତ୍ୟେକଟି ସୋପାନ,
ବିଜୟ ପ୍ରସଙ୍ଗ କ୍ରମେ,
କେବଳ ତୁମରି ନାମେ,
ତୁମ ସମ୍ମାନେ।