ହେ କାଳିଆ
ହେ କାଳିଆ
ମନ ଯାଏ ଲାଖି ଦେଖି ଦୁଇ ଆଖି
ହେ ନୀଳାଚଳ ବିହାରୀ,
ପତିତପାବନ ନେତ ଉଡାଇଲ
ପତିତଙ୍କ ଦୁଃଖ ହରି l
ଏ କଳିଯୁଗରେ ନୀଳମାଧବରୁ
ଜଗନ୍ନାଥ ଅବତାର,
ପଲକ ବିହୀନ ଚକାନୟନରେ
ଦେଖୁଛ ସାରା ସଂସାର l
ମୁଁ ଛାର ମାତର କିରୂପେ ବର୍ଣ୍ଣିବି
ତୁମରି ଅନନ୍ତ ରୂପ,
ଅନଙ୍ଗ ଭଣଇ କଟେ ସର୍ବ ପାପ
ଦେଖିଲେ ଦାରୁ ସ୍ୱରୂପ l
ଦାସିଆ ବାଉରୀ ଯାଚି ଦେଲା ଫଳ
ହାତ ବଢେଇକି ନେଲ,
ବନ୍ଧୁ ମହାନ୍ତିକୁ ଅଯାଚିତ ଭାବେ
ଭୋଗ ଥାଳି ଯାଚିଦେଲ l
ଗୀତ ଗୋବିନ୍ଦର ଅଧୁରା ପଦକୁ
ତୁମେହିଁ ପୂରଣ କଲ,
କବି ଜୟଦେବ ଏ ବିଶ୍ୱରେ ଖ୍ୟାତ
ତୁମେ ତାଙ୍କୁ କରାଇଲ l
ବଳରାମ ଦାସ ସମୁଦ୍ର କୂଳରେ
ତିଆରିଲା ବାଲିରଥ,
ସେ ବାଲି ରଥରେ ତୁମେ ବିଜେକଲ
ଆହେ ପ୍ରଭୁ ଜଗନ୍ନାଥ l
ଭକ୍ତ ସାଲବେଗ ଆକୁଳେ ଡାକିଲା
ନନ୍ଦିଘୋଷେ ଥିବ ରହି,
ଭକ୍ତଙ୍କର ମାନ ରଖିଦେଲ ଆହେ
ତୁମେ ପ୍ରଭୁ ଭାବଗ୍ରାହୀ l
ମାଣିକ ନାମକ ଗଉଡ଼ୁଣୀ ଠାରୁ
କାଞ୍ଚି ଅଭିଯାନ ବେଳେ,
ରତ୍ନମୁଦି ଦେଇ ଦୁଇଭାଇ ଯାକ
ଦହି ସବୁ ପିଇ ଦେଲେ l
ଶ୍ରୀୟା ଚଣ୍ଡାଳୁଣୀ କି ତପ କରିଲା
ଦୟା କଲ ତାଙ୍କୁ ତୁମେ,
ମାଆ ଲଷ୍ମୀଙ୍କର ସେବାକାରୀ ରୂପେ
ପରିଚିତ ଧରାଧାମେ l
ଗୋଟିଏ ମାଟିରେ ମଣିଷ ଜାତିକୁ
ଗଢ଼ିଅଛ ପ୍ରଭୁ ତୁମେ,
ଆଜିର ସମାଜେ ଲଢ଼ି ମରୁଛନ୍ତି
ଦେଶ, ଜାତି, ଧର୍ମ ନାମେ l
ଜାତି ଭେଦଭାବ ନିବାରଣ ପାଇଁ
ଦାରୁବ୍ରହ୍ମ ରୂପ ନେଲ,
ଶବର ବ୍ରାହ୍ମଣ ସମ୍ପର୍କକୁ ଯୋଡି
ସେବା କାର୍ଯ୍ୟ କରାଇଲ l
ପ୍ରତିଟି ଯୁଗରେ ପ୍ରତି ଅବତାରେ
ପତିତ ଉଦ୍ଧାର ପାଇଁ,
ମଣିଷ ଜାତିକୁ ଶିକ୍ଷା ଦେଉଅଛ
ମାନବର ହିତ ପାଇଁ l
ତଥାପି ବୁଝୁନି ଆଜିର ମଣିଷ
ବାଟ ବଣା ହୋଇଅଛି,
ବିନାଶ ଆଡକୁ ମୁହଁ କରିଲାଣି
ଉପାୟ କରହେ କିଛି l
କରୁଛି ଦଇନି ଏତିକି ମାଗୁଣି
ଦୟାକର ଆମ୍ଭ ଠାରେ,
ମହାବିନାଶ ରୁ ଏ ଧରା ତଳକୁ
ତୁମ୍ଭେ ହେ ଉଦ୍ଧାର କର l