ଅନ୍ତର ବେଦିରେ
ଅନ୍ତର ବେଦିରେ
ଅନ୍ତର ବେଦିରେ ବସିଛ ଠାକୁରେ
କବିତାର ରୂପ ନେଇ
ଏତେ ବଡ ଏଇ ଦୁନିଆରେ ପ୍ରଭୁ
ତୁମ ବିନା ସାହା ନାହିଁ
ଦିନ ପରେ ଦିନ ଗଡି ଯାଉଥିଲା
ତୁମରି ଦର୍ଶନେ ଆଶା
କରି ଯାଇଥିଲି ଶ୍ରୀରୀମନ୍ଦିରକୁ
ମନରେ ରଖି ଭରସା
ଡହ ଡହ ଖରା ବଡଦାଣ୍ଡଟାରେ
କଣ୍ଠ ଯାଉଥିଲା ଶୁଖି
ଯୁଆଡେ ଚାହିଁଲି ସିଆଡେ ଦିଶିଲା
ତୁମର ସେ ଚକା ଆଖି
ପତିତପାବନ ବାନା ଟିକୁ ଦେଖି
ଦୁଃଖ ମୋର ଭୁଲି ଗଲି
ସିଂହ ଦୁଆରରେ ଭିଡ ଭିତରେ ମୁଁ
ନିଜକୁ ହଜାଇ ଦେଲି
ପତିତପାବନ ଦର୍ଶନ କରିଲି
ବାଇଶି ପାହାଚ ଛୁଇଁ
ସିଂହ ଦୁଆରରେ ବେତ ମାଡ ଖାଇ
ଭିତରେ ପଶିଲି ଯାଇ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
କହି କହି ହାତ ଟେକି
ଦର୍ଶନ ପାଇଁକି ଗରୁଡ଼ ସ୍ତମ୍ବରୁ
କିଛି ହାତ ଥିଲା ବାକି
ଠେଲାପେଲାରେ ମୋ ହଂସା ଉଡ଼ିଗଲା
ଦିଶିଲା ସବୁ ଅନ୍ଧାର
ଦର୍ଶନ କରିବା ରହିଲା ଅଧୁରା
ଆସିଲି ହୋଇ ବାହାର
କପଟିଆ ପ୍ରଭୁ କପଟ କରିଲେ
ଲଗାଇକି ତାଙ୍କ ଡୋରି
ବସି ପଡିଲି ମୁଁ ଥକାମରା ହୋଇ
ମନ ମୋର ଗଲା ମରି
କେତେ କଷ୍ଟକରି ଆସିଥିଲି ପ୍ରଭୁ
ତୁମରି ଦର୍ଶନ ପାଇଁ
ମୁଁ ଦେଖିନି ସିନା ତୁମେତ ଦେଖିଛ
ମନକୁ ଦେଲି ବୁଝାଇ
ଦେଲେ ଦେବ ଦିଅ ନ ଦେଲେ ନ ଦିଅ
ବସିଛି ପଣତ ପାରି
ଥରେ କହିଦିଅ ମୁଁହ ଖୋଲି ମୋତେ
ଆସିବି ସେଇଠୁ ଫେରି
ଦୁଃଖ କରିବିନି କପାଳ ଲେଖା ମୋ
ଯେମିତି ରଖିଛ ମୋତେ
ସେମିତି ରହିଛିବାହୁଛାୟା ତଳେ
ମୁଣ୍ଡିଆ ବଡ଼ ସାଆନ୍ତେ ।