STORYMIRROR

Dr.Sashi Bhushan Mohapatra

Fantasy

4  

Dr.Sashi Bhushan Mohapatra

Fantasy

ତୁମ ଗାଁରେ ବର୍ଷା

ତୁମ ଗାଁରେ ବର୍ଷା

1 min
502


ମେଘ ଆଜି ଢାଙ୍କିଛି

ତୁମ ଗାଁ ସମଗ୍ର ଆକାଶ

ବର୍ଷିବାକୁ ତୁମ ଗାଁ ଧାନ କ୍ଷେତ

ନଈପଠା ଓ ବନସ୍ତ ।

ଆମ ଗାଁ ଏପାଖରୁ ମେଘ

ଆଜି ମାତାଲ ପ୍ରାୟ

ଧାଇଁଛି ନାଚି ନାଚି ବର୍ଷିବାକୁ

ତୁମ ଗାଁ ବଡ଼ ଦାଣ୍ଡ ।


ଏଇ ବର୍ଷା ନାଚିଲାଣି ଛମ ଛମ

ଘର ଛାତ, ଗଛପତ୍ର ଉପରେ

କିଆବୁଦା ତାଳବଣ,କାଶତଣ୍ଡୀ ପଠାରେ,

ଟପ ଟପ ବର୍ଷା ପାଣିରେ

ତୁମ ଗାଁ ରାସ୍ତା କଡ଼ରେ

ଫୁଟିବଣି କଦମ୍ବ ଫୁଲ,

ଏଠି ବର୍ଷା ମେଘ ମହ୍ଲାର ଗାଉଛି

ପ୍ରୀତି ତାର ମହୁପରି ଝରୁଛି

ପ୍ରେମାଗ୍ନିରେ ଚକୋର ଝୁରୁଛି

ବନସ୍ତେ ମୟୁର ନାଚୁଛି ।


ବର୍ଷାରେ ଫୁଟିବଣି ଚମ୍ପାଫୁଲ

ସରମେ ଜାକି ହୋଇଯିବଣି

ତୁମ ଗାଁ ଲାଜକୁଳୀ ଲତା,

ଗାଁ ମୁଣ୍ଡ ବେଣ୍ଟ ପୋଖରୀରେ

ବର୍ଷାରେ ଫୁଟିବଣି କଇଁ,

ତିନ୍ତି ତିନ୍ତି ଗାଁ ବଧୂମାନେ

ଦେହରେ ହଳଦୀ ମାଖି

ପୋଖରୀରେ ସ୍ନାନ ସାରିବେଣି।


ଦିନସାରା ଭିଜି ଭିଜି

ଶୀର୍ଣ୍ଣ ଦିଶିବଣି ତୁମ ଗାଁ,

ତୁମ ଗାଁ ପହଣୀରେ ଭାସିବଣି

କାଗଜର ଡଙ୍ଗା,

ବର୍ଷା ଭିଜା ଚୁଲିଧୂଆଁ ଘେରିହୋଇ

ମାୟାପୁରୀ ଦିଶିବଣି ଗାଁ ।


ବର୍ଷା ସାରାରାତି ପ୍ରୀତି ସିଞ୍ଚି ସିଞ୍ଚି

ତୁମ ଗାଁ ଅଭିଆଡ଼ି ଝିଅଙ୍କ ଆଖିରେ

ଦେଖାଇବ ଭଳି ଭଳି ସ୍ବପ୍ନ

ମୁଁ ଫତୁଆ କରିଛି ଜାରି

ଏମିତି ସାରାଦିନ ସାରାରାତି

ନାଚି ନାଚି ବର୍ଷିବାକୁ 

ତୁମ ଗାଁ ବଡ ଦାଣ୍ଡ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy