ତୁ କଣ ପାଇଲୁ ରେ
ତୁ କଣ ପାଇଲୁ ରେ
ତୁ କଅଣ ପାଇଲୁ ରେ
ଧାଡ଼ି ଧାଡ଼ି କୋଠା ଗଢ଼ି
ଟ୍ରକ ଟ୍ରାକ୍ଟର ଵଅସ ଟ୍ରଲର ଦାମିକା କାର ଚଢ଼ି |
ରଜନୀ ବାସର କରି ଏକାକାର
ସୁଖ ଶାନ୍ତି ପରିହରି
ଅରଜିଲୁ ଟଙ୍କା ସବୁ କରି ଫାଙ୍କା
ପାପ ପଙ୍କେ ଗଲୁ ସଢ଼ି |
ହେଲୁ ଠିକାଦାର ମଦ କାରବାର
ଦୁର୍ନୀତିରେ ବଢ଼ି ବଢ଼ି
କ୍ଲବ ହୋଟେଲ ବାଆର ରେ ମାତି
ନିଶାରେ ରହିଲୁ ଜଡ଼ି ।
ଛାଡ଼ି ଧର୍ମ ପତ୍ନୀ ବାଇ ପ୍ରେମେ ମାତି
ସତ ପଥ ଗଲୁ ହୁଡ଼ି
ତେଜି ଭିଟାମାଟି ପିତା ମାତା ପ୍ରୀତି
ଭାଇ ଭଗ୍ନୀ ପ୍ରେମ ଏଡ଼ି ।
ପ୍ରିୟ ପରିଜନ କଲୁ ବରଜନ
ସ୍ୱାର୍ଥରେ ରହିଲୁ ବୁଡ଼ି
ଚାକର ପ୍ରେମରେ ଭାରିଜା ତୋହର
ପଳାଇଲା ଘର ଛାଡ଼ି ।
ଅଧାପଢ଼ା ପୁଅ ଅୟସରେ ଘିଅ
ଭାତ ଖାଇ ଗଲା ବଢ଼ି
ବୋତଲ ଧରିକି ରାସ୍ତାରେ ପଡ଼ିକି
ଖୋଲୁଛି ଗୁମର ପେଡ଼ି ।
ଅର୍ଥ ମଦେ ପରା ଧରା ମଣି ସରା
ଚାଲୁଥିଲୁ ନିଶ ମୋଡ଼ି
ରକତ କର୍କଟ ଗ୍ରାସିଲାଣି ଘଟ
ସମ୍ପତ୍ତି ଗଲା ଉଜୁଡ଼ି ।
ଛଅ ଖଣ୍ଡି କାଠ ଲୋଡ଼ା ହେବ ମାତ୍ର
କାଳ ଡାକେ ଘଡ଼ି ଘଡ଼ି
ଭାଷେ ଜଗନ୍ନାଥ ଭଜ ଜଗନ୍ନାଥ
ବେଳ ତ ଗଲାଣି ଗଡ଼ି ।
