STORYMIRROR

Chinmay Behera

Tragedy

3  

Chinmay Behera

Tragedy

ଟୁ - ଲେଟ

ଟୁ - ଲେଟ

1 min
201

ଘରେ ଚୂନ ଲାଗିବା ଆଗରୁ

କାନ୍ଥରେ ଲଗେଇ ସାରିଲୁଣି ଟୁ - ଲେଟ,

ହେଲେ ମୁଁ କେତେଥର - 

ବିକି ହେଇ ସାରିଲିଣି ନିଜ ଭିତରେ

କହି ପାରୁନି ତୋତେ ।

ପୁଅରେ ବରଂ ଭଲ ହେବ

ମୋତେ 'ତୁ' କାନ୍ଥ ସହ ବିକିଦେ

କୋଉ ଅଚିହ୍ନା ଲୋକ ପାଖରେ

ତୋ ଅପେକ୍ଷା ମୁଁ ପାଇବି ଅଧିକ ଶାନ୍ତି ।


ଶୁଣିଥିଲି ଯେତେ ଭାଇ ସେତେ ଘର

ହେଲେ ଆଜି ଦେଖୁଛି

ଗୋଟେ ପୁଅ କେତେ କାନ୍ଥ !!!

ସତରେ ବୁଢା ଗୁଡା ଭାରି ଅଦରକାରୀ

ଅଳନ୍ଧୁ ଠାରୁ ବି ହୀନ,

ବୋଝ ଉପରେ ନଳିତା ବିଡା ଭଳି

ଶୁଖିଲା କଖାରୁ ଡଙ୍କ ଭଳି

ଘର ଉପରେ ମାଡ଼ିକି ଲାଭ କ'ଣ ?

ବରଂ ସେମାନେ ବିକ୍ରି ହେଇଯିବା ଭଲ

ବୁଢା ବଳଦ ଭଳି କୋଉ କଂସେଇ ହାତରେ ।


ବରଂ ଖୁବ ଭଲହେବ 

ଟୁ - ଲେଟ କାଗଜଟା ମାରିଦେ ମୋ ପିଠିରେ

ମୁଁ ନିର୍ବାକ, ନିସ୍ପନ୍ଦ ଭଳି ଠିଆ ହୋଇଥିବି

ତୋ ଦାଣ୍ଡ ଦୁଆରରେ,

ଅପେକ୍ଷା କରିବି ଆଉ ଏକ ଅଜଣା ରାସ୍ତାକୁ

ଯୋଉ ରାସ୍ତାରେ କେବଳ ବୁଢାମାନେ - 

ଚାଲୁଥିବେ, ବୁଲୁଥିବେ, ହସୁଥିବେ, କାନ୍ଦୁଥିବେ

ଯେ ଯାହାର ଲୁହକୁ ଦେଖି - 

ଢ଼ୋକି ଦେଉଥିବେ ଆପେ ଆପେ ।


ଧନରେ, ସବୁ ବାପା ଗୁଡା ବୁଢା ହେଇଗଲେ

ପୁଅ ଗୁଡା ବାଡ଼ି ହେଇ ଯାଆନ୍ତି

ବାଟ କଢ଼େଇ ନିଅନ୍ତି ଆଗକୁ ଆଗକୁ,

ହେଲେ ଏବେ ପୁଅର ବହଳ ଆଖିରେ

ବାପା ମାନେ ଉଈଲଗା ରୁଅ ଠାରୁ ବି ହୀନ

କିଏ ପଚାରେ ସେ ପୁରୁଣା, ଦଦରା ମଝି ଖୁଣ୍ଟକୁ ।

ହେ ମୋ ପୁଅ ମାନେ - 

ଯଦି କେହି ଘର ଖୋଜିବାକୁ ଆସିବ

ଘର ଦେଖିବା ପୂର୍ବରୁ

ଅନ୍ତତଃ ଥରେ ମୋତେ ଭଲରେ ଦେଖିନେବ

ଜାଣିବ, ଦୁନିଆର ବୁଢା ବାପା ଗୁଡା

ସତରେ କେତେ ଭଲରେ ବଞ୍ଚିଛନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy