ଟଙ୍କା
ଟଙ୍କା
ଦୁନିଆରେ ଆମେ ଚଳିବା ପାଇଁକି
ଦରକାର ହୁଏ ଟଙ୍କା ।
ନଥିବ ଯା ପାଶେ ଟଙ୍କା ତାର ନିଶ୍ଚେ
ମୁହଁ ହୋଇଯାଏ ବଙ୍କା ।
ପୂରୁବ କାଳରେ ଟଙ୍କା ତ ନଥିଲା
କଉଡି ଥିଲା କେବଳ ।
ଘୁମରେ ସାଇତି ରଖୁଥିଲେ ଧନୀ
ପୋତି ତାକୁ ମାଟିତଳ ।
ଟଙ୍କା ପ୍ରଚଳନ ହେବାପରେ ଟଙ୍କା
ଧାତୁରେ ଗଢା ହୋଇଲା ।
ସୁନା ଟଙ୍କା ରୂପା ଟଙ୍କା ଆଦି ଟଙ୍କା
ବହୁତ ରୂପ ଧରିଲା ।
କାଗଜର ଟଙ୍କା ବାହାରିିଲା ଟଙ୍କା
ନେଲା ନୂଆ ନୂଆ ରୂପ ।
ସୁବିଧାରେ ଟଙ୍କା ନେଣ ଦେଣ ହେଲା
ବଦଳିଲା ଯେବେ ରୂପ ।
ଏବେ ଆସିଲାଣି ଡିଜିଟାଲ୍ ଟଙ୍କା
ଧରିଅଛି ନୂଆ ରୂପ ।
ଟଙ୍କା ପାଇଁ କେତେ ଲାଗିଅଛି ନାଟ
ଟଙ୍କା ପାଇଁ ହୁଏ ପାପ ।
ଟଙ୍କା ଯଦି ତୁମ ପାଖରେ ନଥିବ
କିଛି କରି ନପାରିବ ।
କଅଣ ଖାଇବ କଅଣ ପିନ୍ଧିବ
କହ କିପରି ଚଳିବ ?
ସ୍ବାର୍ଥ ସର୍ବସ୍ବ ଏ ଦୁନିଆରେ ଆଜି
ଟଙ୍କା ପାଇଁ ହୁଏ ସବୁ ।
ଚାକିରୀ ବାକିରୀ ରାଜନୀତି ଆଦି
ଟଙ୍କା କରାମତି ସବୁ ।
ଘରୁ ବାହାରକୁ ବାହାରିବା ଯେବେ
ଟଙ୍କା ଲୋଡା ହୋଇଥାଏ ।
ଟଙ୍କା ନଧରିଲେ କିଛି ହେବ ନାହିଁ
ଟଙ୍କା ତ ସବୁ ଯୋଗାଏ ।
ଧର୍ମ ଅର୍ଥ କାମ ଟଙ୍କା ବ୍ୟୟ କରି
ସବୁ ତୁମେ ପାଇଯିବ ।
ମନେରଖ ଟଙ୍କା ପ୍ରତିବଦଳରେ
ପିତା ମାତା ନପାଇବ ।
ମୋକ୍ଷ ନମିଳିବ ଟଙ୍କା ବଦଳରେ
ସ୍ବଧର୍ମ ଯେବେ ତେଜିବ ।
ଟଙ୍କା ଅରଜନ କରିବା ପାଇଁକି
ସ୍ବଧର୍ମ ନିଶ୍ଚେ ପାଳିବ ।
