"ତଥାପି ଜୀବନ "
"ତଥାପି ଜୀବନ "
ଆଶା ଆଉ ଭାବନା
ଚିନ୍ତା ଆଉ ଚେତନା
କାମନା ଆଉ ବାସନା
ଲୋଭ ଆଉ ତାଡନା
ଦୁଃଖ ଆଉ ବେଦନା
ଯାତନା ଆଉ ଲାଞ୍ଛନା
ଅନୁତାପ ଆଉ ଅନୁଶୋଚନା
ହସ-ଖୁସିର ଫୁଆରା ଭିତରେ ପୁଣି ଭାଗ୍ୟର ବିଡମ୍ବନା
ସୁଖ-ଦୁଃଖ, ହସ-କାନ୍ଦ, ଭଲ-ମନ୍ଦ
ଜୟ-ପରାଜୟ,, ଉତ୍ଥାନ-ପତନ, ସଫଳ-ଅସଫଳ
ଧର୍ମ-ଅଧର୍ମ, ନ୍ୟାୟ-ଅନ୍ୟାୟ, କର୍ମ-ଅକର୍ମ
ଭୁଲ-ଠିକ ଭିତରେ ପଡିଉଠି
ତଥାପି ଚାଲିଛି ଏ ଜୀବନ l
ଶୁଖି ଯାଇଥିବା ଗୋରୁ ହାଡ଼କୁ କାମୁଡି କାମୁଡି
ନିଜ ଅଜଣାତରେ ନିଜ ଜିଭରୁ ବାହାରୁଥିବା
ତାଜା ରକ୍ତର ସ୍ବାଦକୁ
ଆସ୍ଵାଦନ କରି ମସଗୁଲ ହୋଇ ଚାଲିଥିବା ଶ୍ଵାନଟିଏ ପରି l
କୋଠା-ବାଡ଼ି, ଧନ-ସମ୍ପତ୍ତି, ଭୋଗ-ଉପଭୋଗର
ଦୁର୍ବାର ଲାଳସାରେ ନସରପସର ହୋଇ
ଏଇ ମର ସଂସାରେ
କୋଳି ଖାଇ ମଞ୍ଜି ପୋତିଲାପରି
ନିଜର ସମସ୍ତ ଜ୍ଞାନ-କୌଶଳକୁ ମାପିଚୁପି
ବୁଦ୍ଧି ଖଟେଇ ବଞ୍ଚିବାର ଅଙ୍କ କଷି ଚାଲିଛି l
ମାୟାର ବାହୁ ବନ୍ଧନରେ ଆବଦ୍ଧ ହୋଇ
ଆଶା ଆଉ ଅବଶୋଷର ଅସନ୍ତୁଳିତ ଅସନ୍ତୋଷ ଭିତରେ
କୁରୁଳି-କୁରୁଳି
ରାଗ-ହିଂସା, ଗର୍ବ-ଦମ୍ଭ, ଆଉ ଅହଂକାରର ଅଟଳ ଜିଦ ଭିତରେ
ଆଣ୍ଠେଇ-ପେଟେଇ ଅଣନିଃଶ୍ୱାସୀ ହୋଇପଡୁଛି ଏ ଜୀବନ l
ନିଜର କାମନା ଆଉ ବାସନାକୁ
ଚରିତାର୍ଥ କରିବା ପାଇଁ
ରୋଗ-ଶୋକ, ଜରା-ବ୍ୟାଧିର ନଶ୍ଵରତା ଭିତରେ
ଘାଣ୍ଟି-ଚକଟି ହୋଇ ଲହୁ-ଲୁହାଣ ହୋଇ ପଡୁଥିବା ଏ ଜୀବନ
ତଥାପି ଚାଲିଛି
ସମୟର ଅଦୃଶ୍ୟ ପଥରେ
ବଞ୍ଚିବାର ଦୁର୍ବାର ଲାଳସାରେ