ତୋହରି ବନ୍ଧନେ ବନ୍ଧା
ତୋହରି ବନ୍ଧନେ ବନ୍ଧା
ତୋହରି ବନ୍ଧନେ ବନ୍ଧା ମା ଚଞ୍ଚଳା
ତୋହରି ବନ୍ଧନେ ବନ୍ଧା
ଭକତି ଡୋରିରେ ବାନ୍ଧିନେ ମାଆ
ନ ଥାଉ ସଂସାର ଧନ୍ଦା !!
ପଦୁଅଁ ଫୁଲର ପାଖୁଡା ତକ ମା
ନାଡ ସହ ବନ୍ଧା ଥାଏ
ପାଖୁଡା ଗୋଟିଏ ଛିଣ୍ଡିଲେ ମାଆ ଲୋ
ପାଖୁଡା ପଦୁଅଁ ନୁହେଁ.
ଏଇ ମୋ ଜୀବନ ତୋହର ଚରଣେ
ବନ୍ଧା ଭକତି ରଜ୍ଜୁରେ
ସେ ରଜ୍ଜୁ ଛିଣ୍ଡିଲେ ଏ ଛାର ଜୀବନ
ସାର୍ଥକ ନୁହେଁ ମହୀରେ!!
ଯାହାତୁ ଦେଇଛୁ ମାଆ କମଳିନୀ
ସେଥିରେ ସନ୍ତୁଷ୍ଟ ମୁହିଁ
ସାଲୋକ୍ୟର ପଥ ନୁହେଁ ଧନ ଜନ
ଆଲୋକର ପଥ ତୁହି!!
ଧନ ଦରବ ମୋ ଲୋଡ଼ା ନାହିଁ ମାଆ
ମୁକ୍ତିର ପଥ ସେ ନୁହେଁ
ଦେ ମାଆ ଶକ୍ତି, ଦେ ମାଆ ମୁକ୍ତି
ନିର୍ବାଣ ମୁକ୍ତି ମୁଁ ଚାହେଁ !!
