STORYMIRROR

SARATA KUMAR DAS

Romance

4  

SARATA KUMAR DAS

Romance

ତମେ , ମୁଁ ଓ ଫଗୁଣ

ତମେ , ମୁଁ ଓ ଫଗୁଣ

1 min
307


ତମେ ଆଗେଇ ଆସ ଦୁଇ ପାଦ

ମୁଁ ବି ଦୁଇ ପାଦ ଆଗେଇ ଯିବି

ତମେ ଦୁଇ ପଦ କଥା ହୁଅ

ମୁଁ ବି କଥାହେବି ଦୁଇ ପଦ

ତମେ ଟିକେ ହସିଦିଅ

ମୁଁ ବି ଟିକେ ହସିଦେବି

ହଟିଯିବ ଦୂରତ୍ବ,ଲିଭିଯିବ ଲକ୍ଷ୍ମଣ ରେଖା

ଝରୁଥିବ ଫୁଲରୁ ମହକ ସକାଳରୁ ସଂଜ  

କାହିଁକି ନା ଫଗୁଣ ଫେରିଛି ପୁନଶ୍ଚ 

ବଦଳିଛି ଋତୁ, ଆଉ ବଦଳିଛି ଅଶାନ୍ତ ଶ୍ରାବଣ ।। 


ହେଇ ଦେଖନା !

କୋଇଲି ଗାଉଛି ଗୀତ ଗହନ ବନରେ

ଚଗଲା ପବନ ମୁରୁକି ହସୁଛି ପତ୍ର ଗହଳରେ ;

ଅଳସୀ ସଂଜଟା ହାଇମାରିଲାଣି

ଆମ୍ବ ବଉଳର ମଧୁର ବାସ୍ନାରେ ;

ଫଗୁଣର ପେନ୍ଥା ପେନ୍ଥା ମାଦକତା

ଧସେଇ ପଶିଲାଣି ବାତାୟନ ପଥେ

ରଙ୍ଗର ପସରା ମାଳ ମାଳ ଚଉଦିଗେ 

ପାର୍ବଣର ଯେତେ ଝଲମଲ ରୂପ

ଲୁଚକାଳି ଖେଳିଲେଣି ମାଟି ଅଗଣାରେ ।।


ଫଗଣକୁ ତମେ ତ ଦେଖିଛ ବାର୍ ବାର୍

ମୁଁ ବି ଦେଖିଛି ଏକାଧିକ ଥର 

ନା ପଚାରିଛ ତମେ

ନା ମୁଁ ପଚାରିଛି କେବେ 

କେଉଁଠୁ ଆଣେ ସେ ଏତେ ଶିହରଣ  

ପୁଣି ଏତେ କୋଳାହଳ  

ଭିଜାଇ ଦିଏ ମନ ପ୍ରାଣ ରଙ୍ଗର ବର୍ଷା ରେ

ଭିଜୁଥାଏ ମୁଁ; ଆଉ ଭିଜୁଥାଅ ତମେ  

ମହମହ ବାସୁଥାଏ ଧରାପୃଷ୍ଠ  

ରଜନୀଗଂଧାର ଭୁରୁଭୁରୁ ବାସ୍ନାରେ ।।


ଏଇତ ଆସିଛି ଫଗୁଣ ଠିକ୍ ପୂର୍ବ ବର୍ଷ ଭଳି

ତମ ଆଖିରେ ମେଂଚା ମେଂଚା ସ୍ବପ୍ନ 

ମୋ ଆଖି ରେ ବି ସ୍ବପ୍ନ ର ମହଲ 

ଚଉଦିଗ ଭିଜା ଭିଜା ସମ୍ମୋହନ 

ରଙ୍ଗ ବେରଙ୍ଗର ଫୁଲ ବଗିଚାରେ ମଧୁପଙ୍କ ଭିଡ

ରାତି ରାତି ଉଜାଗର ଗୋଲାପୀ ଶେଯରେ 

ଜୁଡୁବୁଡୁ ପ୍ରୀତି-ପ୍ରଣୟର ମହୁଲି ନିଶାରେ ;

ତମ ହାତ ପାପୁଲିରେ କିଛି ଜ୍ୟୋସ୍ନାର ଛିଟା

ଆଉ କିଛି ନେସିହୁଏ ମୋ ହାତ ପାପୁଲି ରେ  ।।


ଫଗୁଣ ଆଣିଛି ଚୂନା ଚୂନା ଅଭିମାନ 

ଢଳଢଳ ଅଭିସାର ତମ ଚାହାଣୀରେ ;

ତମ ଅକୁହା ଆଖିରେ ଅୟୁତ କଥା

ଦେହରେ ତମର ଲହଡି ଭାଙ୍ଗୁଛି 

କୋଟି ଚମକର ପୁଣ୍ୟତୋୟା 

ଉଡିଲାଣି ଫଗୁ ମାଟିରେ ,ଆକାଶରେ

ଆଙ୍କିଦିଅ ଛବି କେତେଗୋଟି ରଙ୍ଗର ତୂଳିରେ

ଝଲମଲ ହେଉଥିବ ଦୃଶ୍ୟ ବା ଅଦୃଶ୍ୟରେ

ଦେଖୁଥିବ ତମେ ,ଆଉ ଦେଖୁଥିବି ମୁଁ

ଫଗୁଣ ଖେଳୁଥିବ ଚକାଭଉଁରୀ 

ତମ କୃଷ୍ଣଚୁଡା ଓଠର ନାଲି ଓଢଣୀରେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance