STORYMIRROR

SARATA KUMAR DAS

Fantasy

4  

SARATA KUMAR DAS

Fantasy

ତମେ ଆସିବ ବୋଲି - ୧୮

ତମେ ଆସିବ ବୋଲି - ୧୮

1 min
310

ତମେ ଆସିବ ବୋଲି 

ମାଳ ମାଳ ମେଘମାଳ

ଧାଉଁଛନ୍ତି ଆକାଶରେ

ପୂର୍ବରୁ ପଶ୍ଚିମ

ପୁଣି ଉତ୍ତରୁ ଦକ୍ଷିଣ,

ହସୁଛି ସବୁଜ କେଦାର

ମୌସୁମୀର ଛମ୍ ଛମ୍ 

ନୂପୁର ଶବ୍ଦରେ,

ବନଭୂଇଁ ମୁଖରିତ

ବିହଙ୍ଗର ମଧୁ କୂଜନରେ,  

ସାଗର ଗାଉଛି ଗୀତ

ମୁଗ୍ଧ ମୂର୍ଚ୍ଛନାରେ 

ପ୍ରତୀକ୍ଷାରେ ବେଳାଭୂଇଁ 

ନୀଳଉର୍ମିର ନୀଳ ସାନିଧ୍ୟରେ । 

ସେଦିନ ବି ମେଘ ଥିଲା ଆକାଶରେ

ସେଦିନ ବି ବାନ୍ଧିଥିଲା ମୌସୁମୀ 

ପାଦରେ ପାଉଁଜି

ଟିପି ଟିପି ଝରୁଥିଲା ବର୍ଷା 

ଧରିତ୍ରୀର ମୁକ୍ତ ଅଗଣାରେ

ଭିଜୁଥିଲ ତମେ 

ଆଉ ଭିଜୁଥିଲି ମୁଁ 

ଆକାଶ ଓ ପୃଥିବୀର

ଆବର୍ତ୍ତ ମଧ୍ୟରେ,

ସାକ୍ଷୀଥିଲା ଝାଉଁବଣ

ସାକ୍ଷୀଥିଲା ବେଳାଭୂଇଁ  

ପୁଣି ଫୁଙ୍ଗୁଳା ପାହାଡ  

ହସୁଥିଲା ନୀଳକଇଁ 

ଲୁଚି ଲୁଚି ଚନ୍ଦ୍ରମାକୁ ଚାହିଁ । 

ଖୁବ୍ ନିକଟତର ହେଉଥିଲି ମୁଁ 

ସଜାଡି ଦେବାକୁ ଚିକିମିକି 

ତମ ଚୂନା ଚୂନା ସୁରମ୍ୟ କବରୀ

ଖୋସିବାକୁ ଫୁଲର ଗଜରା

ତମ ଗହଳ ଗଭାରେ

ଛୁଇଁବାକୁ ତମ ଭିଜା ଭିଜା ଓଠ

ମୃଦୁ ମଳୟର ମହୁଲି ସ୍ପର୍ଶରେ, 

ଆଉ ଘୁଞ୍ଚି ଘୁଞ୍ଚି ଯାଉଥିଲ ତମେ

ଠିକ୍ ଯେମିତି ପଦ୍ମ

ଘୁଞ୍ଚି ଘୁଞ୍ଚି ଯାଏ ହାତ ପାହାନ୍ତାରୁ

ମୋ ବହଳ ବିଶ୍ବାସର ଯଜ୍ଞକୁଣ୍ଡେ

ପୂର୍ଣ୍ଣାହୁତି ଦେଇ ।

ହୋଇପାରେ ଆଜି ସେ ଅତୀତ 

ସୁପ୍ତ ଓ ଅବ୍ୟକ୍ତ 

ହୋଇପାରେ ଅବରୁଦ୍ଧ 

ଆଉ ଗୁପ୍ତ 

ମୋ ମନର ସୁନା ଫରୁଆରେ,

ତଥାପି ମୁଁ ବିଗଳିତ,ବିଚଳିତ

ପୁଣି ଆହ୍ଲାଦିତ, 

ପୁନଶ୍ଚ ପରିବ୍ୟାପ୍ତ

ତମ ମିଠା ମିଠା ଭାବନାରେ

ସିକ୍ତ ଆବେଗରେ

ତମ କମନୀୟ ରୂପ ଲାବଣ୍ୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy