ତିନି ମାଙ୍କଡ
ତିନି ମାଙ୍କଡ
ପାଟିରେ ହାତ ଦେଇ ଦିନେ କରିଥିଲି ପଣ
କହିବିନି କେବେ ଖରାପ କଥା କାହାକୁ
କାହିଁକି କେଜାଣି ବେଳେବେଳେ ପଣ ଭାଙ୍ଗିଯାଏ
ମୁଁ ହାରିଯାଏ ସେ ପାଟିରେ ହାତ ଦେଇଥିବା ମାଙ୍କଡ ଆଗେ ।
ଅନେକ ଥର ଚାହିଁଛି ଶୁଣିବିନି ଖରାପ କଥା
କାନେ ହାତରଖିଥିବା ମାଙ୍କଡଟି ହସେ ମୋତେ ଦେଖି
ଖରାପ କଥା କାନ ବନ୍ଦ ସତ୍ତ୍ବେ ବି
ମୁଁ ଶୁଣିପାରେ ବେଶ ଆରାମରେ
ମନ ଜମା କାହିଁ ବୁଝେନି ।
ଆଖିଟା କେଉଁଥିରେ ଗଢା କେଜାଣି
ସବୁବେଳେ ଚଳ ଚଞ୍ଚଳ ପାରେନି କାବୁ କରି
ଭଲ ଠାରୁ ଖରାପକୁ ସେ କରିନିଏ ବେଶି ନିଜର
ବେଶି ବେଶି ଲୋଭ ବଢୁଥାଏ ଦେଖିବାକୁ ବାରମ୍ଵାର ।
ଭଲ ଠାରୁ ଖରାପଟା ଏତେ ବିଶ୍ଵସ୍ତ କାହିଁକି
ଯାହାକୁ ଲୁଚାଯାଇଥାଏ ଫରୁଆରେ
ମନ ଖୋଜେ କାହିଁ ବାରମ୍ଵାର ତାକୁ
ଆଖି କାନ ପାଟିକୁ ଦେଇହୁଏନି ତୁଣ୍ଡି
ଭାରି ଅବୋଲକରା ଏମାନେ
ଏମାନଙ୍କର ପୃଥିବୀ କୁଆଡେ ଅଲଗା
ସେମାନେ କୁହନ୍ତି ମୋତେ କାନେ
ଅନ୍ଧାର ନ ଥିଲେ ଆଲୋକର କି ଥାଏ ମଜା
ସବୁକିଛି ଅନୁଭବ ଲୋଡା ଏ ଜୀବନେ
ସେଥିପାଇଁ କୁହାଯାଏ ପରା ସଦା
ହାତେ ମାପି ଚାଖଣ୍ଡେ ଚାଲ ।
