ଥକିବନି ଆମ କଲମ ମୂନ
ଥକିବନି ଆମ କଲମ ମୂନ
ବୁଝିବା ବୁଝାଇବା ବିନା
ସଂସାରରେ ଆଉ ଅଧିକ ଅଛି କ'ଣ...
ଅବୋଧକୁ ବୋଧ ଅଜ୍ଞାନକୁ ଜ୍ଞାନୀ
କରେ ସମାଜରେ ଅଛି ଯେତେ ଶାସ୍ତ୍ର
ଦିଏ ଦିଗଦର୍ଶନ କରାଏ ସଜାଗ
କହି ଦେଲେ ଯେତେ ସରଳ ପ୍ରାଞ୍ଜଳ
ସୁନ୍ଦର ଭାବର ମଧୁର ଭାଷା
ସ୍ମରଣରେ ରହେ ନାହିଁ ଚିରସ୍ଥାୟୀ
ସମୟ କ୍ରମେ ଯାଏ ତା ଦୂରେଇ
ଯତ୍ନରେ ସାଇତି ରଖିବାକୁ ଜ୍ଞାନସମ୍ପଦ
ଲେଖା ହୁଏ ଯୁଗେ ଯୁଗେ ବହୁ ଶାସ୍ତ୍ର
ହୁଏ ଯିଏ ଭାବୁକ କବି ଲେଖକ
କଲମର ମୂନ ହୁଏ ତାର ସହାୟକ
ମନର ଅସରନ୍ତି ଭାବକୁ କଲମ ମୂନ
ଶ୍ରମବଳରେ ଲେଖି ଦେଇଥାଏ ଜୀବନ
ତାଳପତ୍ର ପୋଥିଠାରୁ କାଗଜର ପୃଷ୍ଠାରେ
ଲେଖି ଚାଲିଛି ମନର ସବୁ ଭାବନା
ହୋଇଛି ହେଉଛି ହେବ ଯା' ଯା'
ଏ ମାନବ ସମାଜର କ୍ରମ ବିକାଶେ
ସବୁକୁ ଟିକିନିଖି ଲେଖି ଦିଏ ପୃଷ୍ଠା ପୃଷ୍ଠା
ପୁରାଣ ଯୁଗରୁ ଅଦ୍ୟାବଧି ଚାଲିଛି
ଅବିରାମ ଭାବରେ କଲମର ମୂନ
ଲେଖିଛି ବେଦ ରାମାୟଣ ମହାଭାରତ
ଅଷ୍ଟାଦଶ ପୁରାଣ ଗୀତା ଭାଗବତ
କାହାଣୀ ଗଳ୍ପ କାବ୍ୟ କବିତାର ସମ୍ଭାର
ନାଟକ ଉପନ୍ୟାସ ଆଦି ବହୁବିଧ
ଅତି ସୂକ୍ଷ୍ମ ମୂନଟିଏ ହୋଇ ସେ ଅସାମାନ୍ୟ
ଶକ୍ତି ଅମାପ ଖଣ୍ଡାଧାରରୁ ଅଧିକ ଶାଣିତ
କବି ଲେଖକର ଏ ଅମୋଘ ମହାଅସ୍ତ୍ର
ସେ କଲମ ମୂନର ମହାଶକ୍ତି ଶବ୍ଦବ୍ରହ୍ମ
ଆଣିଛି ବିପ୍ଳବ ଘଟାଇଛି ଯୁଦ୍ଧ ମହାଯୁଦ୍ଧ
ଅନ୍ୟାୟକୁ ନାଶି ପ୍ରତିଷ୍ଠା କରିବାକୁ ନ୍ୟାୟ
ଅନ୍ଧାରରୁ ନେଇ ଯିବାକୁ ଆଲୋକର ପଥେ
ନେଇ ନାହିଁ ବିଶ୍ରାମ କି ଯାଇନି ଅଟକି
ଅବା କ୍ଳାନ୍ତ ହୋଇ ପଡିନି କେବେ ଥକି
ଦୁର୍ବାର ତାର ଗତି କରେ ଅସାଧ୍ୟ ସାଧନ
ସେହି କଲମ ଆମର ସଖା ସାରଥୀ
ଦେଖାଏ ଦିବ୍ୟପଥ ଚାଲେ ଜୀବନ ରଥ
ଆଣିବାକୁ ଆତ୍ମ ସଂସ୍କାର କରିବାକୁ ସିଦ୍ଧ
ଗଢିବାକୁ ସଂସ୍କୃତି ପରମ୍ପରା ଦିଏ ପ୍ରେରଣା
ଚିନ୍ତନେ ଲିଖନେ ଯୁଗାନ୍ତଗାରୀ ଜ୍ଞାନ
ଦେଇ ଚାଲେ ସମାଜକୁ ତାର ସିଦ୍ଧାନ୍ତ
ଚାଲିଛି ଚାଲିଥିବ ଆଗକୁ ଆଗକୁ
କେବେ ଥକିବନି ଆମ କଲମ ମୂନ...।