ଥାଉ ପାଣି ଥାଉ ଛାଇ
ଥାଉ ପାଣି ଥାଉ ଛାଇ
ବଇଶାଖ ଖରା ସତେ କି ଜଳୁଛି ନିଆଁ
ବାଟୋଇ ପାଦରେ ଲାଗି ତ ଯାଉଛି ଚିଆଁ
ଏ କାଳେ ଗୋଟିଏ କାଉ
ଦେଖିଲା ଗୋଟିଏ ପାଣିର ମାଠିଆ
ଉଡି ଉଡି ଯାଉ ଯାଉ ।।
ଭାବିଲା କାହିଁକି ଲାଗେ ଆଜି ଭାରି ଶୋଷ
ଆସିଲି ବୋଲି କି ଉଡି ବାଟ କୋଶ କୋଶ
ଓହୋ ଆଜି କେଡେ ଖରା
ଏଇଠି ରହିବି ଶୋଷ ମୁଁ ମାରିବି
ମାଠିଆଟି ପାଣି ଭରା ।।
ପାଣି ପାଶେ ଏବେ ଧାଇଁ ଆସିଲା ତା' ଶୋଷ
ପିଇଲା ପାଣି ସେ କରି ତା'ର ମନ ତୋଷ
ହାଲିଆ ଲାଗିଲା ତାକୁ
ମନ ହେଲା ତା'ର ଛାଇରେ ଟିକିଏ
ଥିର ହୋଇ ବସିବାକୁ ।।
ଦେଖିଲା ପାଖରେ ଗଛଟେ ଦେଇଛି ଛାଇ
ସେ ଛାଇରେ ସିଏ ବସିଗଲା ଉଡି ଯାଇ
କେଡ଼େ ଶାନ୍ତି ଲାଗେ ଆହା
କହିଲା ମନକୁ ଲୋଡା ଯେବେ ଯାହା
ସେତେବେଳେ ସିନା ତାହା ।।
ଏ ତ ଗୀରିଷମ ଦୁଇ ପହରିଆ ଖରା
ସେଥିପାଇଁ ଏତେ ତାତିଲା ଲାଗୁଛି ଧରା
ଛାଇ ଆଉ ପାଣି ପାଇଁ
ଏଡ଼େ ଖରାଟାରେ ସତେ ଆଜି ମୋର
ଜୀବନ ରହିଲା ଭାଇ ।।
ଅଳପ ବିଚାରି କହିଲା ପୁଣି ସେ କାଉ
ଖରା ଯଦି ଏଠି ଅଛି ତେବେ ତାହା ଥାଉ
ଥାଉ ପାଣି ଥାଉ ଛାଇ
ତାହା ହେଲେ ସିନା ଜୀବନ ବଞ୍ଚିବ
ଆଗକୁ ବଢିବା ପାଇଁ ।।