ତାରା
ତାରା
ରାତ୍ରିର ଶୂନ୍ୟ ଆକାଶେ
ଭରିଛି ଅସଂଖ୍ୟ ତାରା,
ମିଟି ମିଟି ଚାହିଁ ଥାଏ
କାହାକୁ ଦିଏନା ଧରା।
ମନର ଆକାଶେ ଭରା
ସପନର କେତେ ତାରା,
ଭାବନାରେ ଉଙ୍କି ମାରେ
ଆଶା ଆକାଂକ୍ଷା ଅଧୁରା।
ଏ ମାଟିର ବସୁନ୍ଧରା
କୋଳେ ଧରି କେତେ ତାରା,
ଦିଏ ସଭିଙ୍କୁ ଇସାରା
ସପନକୁ କର ପୁରା।
ଝଲସି ଚମକେ ତାରା
ଲାଗେ ସତେ କି ନିଆରା,
ଉଜାଗର ରାତି ସାରା
ରହି ଦିଏ ତ ପହରା।
କାନେ କାନେ ଦିଏ କହି
ଶ୍ରମ ସାଧନାର ଧରା,
ଠକ ଅଳସୁଆ ହୋଇ
ହୁଅନା କେବେ ବିଚରା।
ପ୍ରକୃତି ସୌନ୍ଦର୍ଯ୍ୟେ ଭରା
ସ୍ମୃତି ରଖ ଅପାଶୋରା,
ସେବା ତ୍ୟାଗ କରି ସଦା
ହୁଅ ସର୍ବେ ମଧୁଝରା।
କୋଟି କୋଟି ରହି ତାରା
ଦିଅନ୍ତି ଆଲୋକ ଧାରା ,
ଆଲୋକ ଦାନେ ତାଙ୍କର
ଦିଗ ପାଏ ଦିଗହରା।