ତ ଏବେ କାହିଁକି
ତ ଏବେ କାହିଁକି
ସେ କାଲି କଥା ହେଲା
ମନ ଖୋଲି କହିଦେଲା
ଭଲପାଏ ବୋଲି.
ମୁଁ ନିସ୍ତବ୍ଧ ଅବାକ
ହୋଇ ରହିଗଲି .
ମନରେ ହଜାରେ ପ୍ରଶ୍ନ
ଏତେ ଦିନ ପରେ କାହିଁକି ?
ପ୍ରଶ୍ନ ଗୁଡା ସତେ ଯେମିତି
ବୁଢିଆଣୀ ଜାଲ ପରି
ମୋ ମୁଁଣ୍ଡ ସାରା ଖେଳିଗଲା.
ସେବେ ତ ନଥିଲା,ପରେ ବି ନଥିଲା
ତ ଏବେ କାହିଁକି ?
ମନରେ ମୋ ଅସୁମାରୀ ପ୍ରଶ୍ନ
ଉତ୍ତର ସେ ପଦକରେ ଦେଲା,
ମୁଁ ଡରୁଥିଲି କହିବାକୁ
ତମେ କାଳେ ରାଗିବ,
ମୁଁ ଡରୁଥିଲି କହିବାକୁ
ତମେ କଣ ଭାବିବ.
ତଥାପି ମନରେ ପ୍ରଶ୍ନ
ଏତେ ଡେରି କାହିଁକି ?
ହୃଦୟରେ ଅନେକ ଯନ୍ତ୍ରଣା
ଅସୁମାରୀ ପ୍ରଶ୍ନ
ଆଉ ସେ ପ୍ରଶ୍ନର ଶେଷରେ ତମେ,
ଏକ ଖୁଣ୍ଟ ପରି ଠିଆ ହେଇଚ .
ସତେ ଯେମିତି ତମେ ଓ
ତମ ନୀରବତା ମୋତେ କହୁଛି
ତମେ ଏବେ ବି ମୋତେ ଭଲ ପାଉଚ.
ଅନେକ ପୁରୁଣା ପୃଷ୍ଠାର କିଛି କଥା
ତମେ କହିଲ ଆଉ କିଛି ମୁଁ,
ବାସ କିଛି କିଛି ବୁଝାମଣା ହେଇଗଲା .
ତମେ କହିଲ ସେ ସବୁ ମୋର ଦୋଷ
ମୁଁ କହିଲି ସେ ସବୁ ମୋର ଦୋଷ ,
ଆଗରୁ ତ କେବେ ଦୋଷ ନେଇନ
ତ ଏବେ କାହିଁକି ?
ତଥାପି ମୋ ମନରେ ଅନେକ ପ୍ରଶ୍ନ
ଓ ପ୍ରଶ୍ନର ଇନ୍ଦ୍ରଜାଲ ମଧ୍ୟରେ ମୁଁ
ତ ଏବେ କାହିଁକି ?

