ସୁନ୍ଦରଗଡ଼ର ସୁନ୍ଦରୀ
ସୁନ୍ଦରଗଡ଼ର ସୁନ୍ଦରୀ
ଶୁଭ ମହୁରୀ ବାଜେ ଥିରି ଥିରି
ଶଙ୍ଖ ହୁଳୁହୁଳି ପଡୁଛି ହୁରି
ପୁରୋହିତ ମନ୍ତ୍ର ସପ୍ତବେଦୀ ତନ୍ତ୍ର
ଝିଅ ବାହାଘର ଖୁସି ସବୁରୀ ।
କଲ୍ୟାଣ ମଣ୍ଡପେ ଭିଡ଼ ଆଡ଼ପେ
ବେଶ ଆଭୂଷଣ ଚର୍ଚା
ଅତିଥି ଅନେକ ଜ୍ଞାତି ତତୋଧିକ
ଆଲୋକ ମାଳାରେ ଫର୍ଚା ।
ସୁନ୍ଦର ଗଡ଼ରେ ସୁନ୍ଦରୀଙ୍କ ଭିଡ଼
ବାରି ଦିଶେ ସୁକୁମାରୀ
ଝୀନ ବସନକୁ ମ୍ୟାଚିଙ୍ଗ୍ ଫ୍ୟାସନ
ଝଟକୁଛି କନ୍ୟାକୁମାରୀ ।
କନିଆ ବସିଛି ଗହଣା ନାଇଛି
ତାଳୁରୁ ତଳିପା ଗୁନ୍ଥା
ଆଡ଼ ନୟନରେ ବାଙ୍କ ଚାହାଣୀରେ
ସର୍ବେ ଚାହିଁଛନ୍ତି ମନ୍ଥା ।
ଚନ୍ଦ୍ରକାନ୍ତି କଢି କୃଷ୍ଣଚୂଡା ଶାତୀ
ମଧୁଲଗ୍ନା ରାଜହଂସୀ
ସିନ୍ଦୁର ଟୋପାଏ ଖୁସି ଝଲକାଏ
ଶଙ୍ଖାଚୁଡ଼ି ସୋମବଂଶୀ ।
ମନଲୋଭା କଟୀ ସିଂହୀର ଭୃକୁଟୀ
ସ୍ମିତହାସ୍ୟେ ମଧୁଛନ୍ଦା
ଆଖୁକୁ ଲାଜେଇ ଅଳ୍ପସ୍ଵଳ୍ପ କହି
ନୟନସୁଖ ପ୍ରୀତିନନ୍ଦା ।
ବୟସ ମାତିଛି ତନୁ ପଲ୍ଲବିଛି
ଅଙ୍ଗେ ଭଙ୍ଗେ ଅପସରୀ
ମଲ୍ଲୀକାର ବାସ ବାସି ଚଉପାଶ
ମନଲେ।ଭା ସୁନାଗୋରୀ ।
କଳ୍ପନା ନାୟିକା ରମଣୀ ସାରିକା
ନିୟନାଭିକେନ୍ଦ୍ର ବିନ୍ଦୁ
ମୁଖ ମଖମଲି ମନ ଚୁଲ୍ ବୁଲି
କେଶ ବିନ୍ୟାସରେ ଅର୍ଦ୍ଧେନ୍ଦୁ ।
ବାହାଘର ଭୋଜି ଅରୁଚି ଅକାର୍ଜୀ
ମନଖୋଜେ ବକ୍ରଦୃଷ୍ଟି
ଆନନ କାନନ ଘନ ଘୂର୍ଣ୍ୟମାନ
ଆକଣ୍ଠ ପାନ ମଧୁବୃଷ୍ଟି ।
ସୁନ୍ଦରୀ ଗୋ ବାମା ସ୍ୱପ୍ନିଳ ସୁଷମା
ଅନୁରାଗେ ଫଗୁଣିତ
ସୁନ୍ଦର ଗଡ଼କୁ ଜ୍ୟୋତ୍ସ୍ନାସ୍ନାତ କ୍ଷଣକୁ
ସ୍ଵର୍ଣ୍ଣାକ୍ଷରେ ପଲ୍ଲବିତ