STORYMIRROR

NIBEDITA MOHAPATRA

Classics

4  

NIBEDITA MOHAPATRA

Classics

ସତ୍ୟବାଦୀର ସାଧକ ଶ୍ରେଷ୍ଠ

ସତ୍ୟବାଦୀର ସାଧକ ଶ୍ରେଷ୍ଠ

1 min
390


ଭାର୍ଗବୀ ତୀରର ସୁଆଣ୍ତୋ ଗ୍ରାମରେ

ଜନ୍ମିଲେ ଉତ୍କଳମଣି

ପିତା ଦଇତାରୀ ମାତା ସ୍ବର୍ଣ୍ଣମୟୀ

କୋଳକୁ କରିଣ ଧନୀ॥ ୧

ସ୍ବଗୃହେ ଗାଉଁଲି ପଣ୍ତିତଙ୍କ ଠାରୁ

ଶିଖିଲେ ଅକ୍ଷର ଶିକ୍ଷା

ନବାକ୍ଷରୀ ଛାନ୍ଦେ ପଢି ଭାଗବତ

ମନ କରୁଥିଲେ ମଜା॥ ୨

ଦୀନ ଦୁଃଖୀ ଦରିଦ୍ର ଶୋଷିତଙ୍କର

ସାଜିଲେ ଦରଦୀ ବନ୍ଧୁ

ହୃଦୟଟି ସତେ ଥିଲା ତ ତାଙ୍କର

କରୁଣାର ସପ୍ତସିନ୍ଧୁ॥ ୩

ଯୋଗାଉଥିଲେ ସେ ଅନାହାରେ ରହି 

ଦୁଃସ୍ଥ ଜନଙ୍କୁ ଆହାର

ପାଦେ ଚାଲି ଚାଲି ବୁଝୁଥିଲେ ଦୁଃଖ

ବନ୍ୟା ପ୍ରପୀଡିତଙ୍କର॥ ୪

ପଞ୍ଚସଖାଙ୍କର ସାଙ୍ଗରେ ମିଶିଣ

କରି କେତେ ଆଲୋଚନା

ଶିକ୍ଷାଦାନ ସହ ଦେଶସେବା ପାଇଁ

ସଂଗଠିତ କଲେ ସେନା॥ ୫

ସତ୍ୟବାଦୀର ବକୁଳ ବନ କୁଞ୍ଜେ

ଗଢି ବନବିଦ୍ୟାଳୟ

ବୃକ୍ଷ ଛାୟା ତଳେ ମୁକ୍ତ ପରିବେଶେ

ଦେଇଥିଲେ ଶିକ୍ଷାଦାନ॥ ୬

ପରୋପକାର ଓ ଦେଶଭକ୍ତି ଥିଲା

ତାଙ୍କ ଜୀବନର ବ୍ରତ

ପୁରୀ ସେବା ସମିତି ଗଠନ କରିଣ

ସେବାରେ ହୋଇଲେ ମତ୍ତ॥ ୭

ନିର୍ଯ୍ୟାତିତ,ନିପୀଡ଼ିତ ଜନତାଙ୍କ

ମୁଖରେ ଦେବାକୁ ହସ

ସାଥିଙ୍କ ସଙ୍ଗତେ ମିଶି କରୁଥିଲେ

ସେମାନଙ୍କ ସେବା କାର୍ଯ୍ୟ॥ ୮

ଜନସେବା ସହ ସାହିତ୍ୟ ଚର୍ଚ୍ଚାରେ

ବିତୁଥିଲା ତାଙ୍କ ଦିନ

ଓଡିଆ ଭାଷାରେ ସରଳ ଶଦ୍ଦରେ

ଲେଖିଲେ ଅନେକ ପଦ॥ ୯

"ଅବକାଶ ଚିନ୍ତା","ବନ୍ଦୀ ଆତ୍ମକଥା"

ସାଥେ ପୁଣି "କାରାକବିତା"

"ନଚିକେତା ଉପାଖ୍ଯାନ","ଗୋ 'ମାହାତ୍ମ୍ୟ"

ଦେଲା କେତେ ଯେ ବାରତା॥ ୧୦

"ସତ୍ୟବାଦୀ"ନାମେ ଛାପିଣ ପତ୍ରିକା

ବାଣ୍ଟିଲେ ସ୍ବଦେଶ ପ୍ରୀତି

ଲୋକ ସେବକ ମଣ୍ତଳ ନେତୃତ୍ବରେ

ହେଲା "ସମାଜ"ର ବୃଦ୍ଧି॥ ୧୧

ଅସହଯୋଗର ପୁରୋଧା ସାଜିଲେ

ଗାନ୍ଧିଜୀଙ୍କ ଡାକରାରେ

ନୂତନ ଉନ୍ମାଦନା ସୃଷ୍ଟି କରିଲେ

ପ୍ରତି ଓଡିଆ ପ୍ରାଣରେ॥ ୧୨

ଉଣେଇଶ ଅଠେଇଶ ଜୁନ୍ ମାସ

ନେତ୍ର ଉତ୍ସବର ବେଳା

ଓଡିଶା ଗଗନୁ ଅନ୍ତର୍ହିତ ହେଲା

ଉଜ୍ଜଳ ତାରକା ଆଭା॥ ୧୩

ଜରାଜୀର୍ଣ୍ଣ ଆଜି ତୁମ ଷଠିଘର

ତଥାପି ସତେଜ ସ୍ମୃତି

ଏ ବସୁନ୍ଧରାରେ ସଦା ପ୍ରଜ୍ଜ୍ବଳିତ

ତୁମରି ଅମ୍ଳାନ ଜ୍ୟୋତି॥ ୧୪

ସତ୍ୟବାଦୀ ମାଟିର ସାଧକ ଶ୍ରେଷ୍ଠ

ଉତ୍କଳ ଯୋଗ୍ୟ କୁମର

ଏ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳୀ ପୁଷ୍ପ

ଅର୍ପଣେ ତୁମ ପୟର॥ ୧୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics