ସତ କହୁଛି
ସତ କହୁଛି
ତୁମ ପିନ୍ଧା କୁମ୍ଭପକା ନାଲି ପାଟଶାଢୀ
ପଛରୁ ଦେଖିଲି
ବାରହାତରେ ଘେରା
ନାଲି ଟୁକୁଟୁକୁ ସାଧବବୋହୁ ଭାବିଲି
ପ୍ରଥମ ଦେଖାରେ
ଭଲ ପାଇ ବସିଲି
ସତ କହୁଛି ପ୍ରେମରେ ପଡିଗଲି
ତୁମ ହଳଦୀ ଗୁରୁଗୁରୁ
ଲକ୍ଷ୍ମୀପାଦ ପଛରୁ ଦେଖିଲି
ନାଲି ଅଳତାରେ ରଞ୍ଜିତା
ପାଦ ଯୁଗଳକୁ କେଇ କ୍ଷଣ ନିହାରିଲି
ଗୋରା ପାଦରେ ରୂପା ପାଉଁଜର
ରୁଣୁଝୁଣୁ ସଂଙ୍ଗୀତ ସରଗମ୍ ଶୁଣିଲି
ପ୍ରଥମ ପର୍ଯ୍ୟାୟରେ
ଭଲ ପାଇ ବସିଲ
ସତ କହୁଛି ପ୍ରେମରେ ପଡିଗଲି
ତୁମ ଧୋବ ଧଉଳିଆ ଚର୍ବିଳ ମାଂସଳ
ବାହୁ ଯୁଗଳ ପଛରୁ ଦେଖିଲି
କାନ୍ଧକଟା ବ୍ଲାଉଜକୁ ଛାଡି
ସୁନ୍ଦର କମନୀୟ ବାଜୁବନ୍ଧକୁ
ବାରମ୍ଵାର ପଲକରେ ମାଜିଲି
ଘନ ଘନ ବ୍ରତ ଦର୍ଶନରେ
ଭଲ ପାଇ ବସିଲି
ସତ କହୁଛି ପ୍ରେମରେ ପଡ଼ିଗଲି
ତୁମ ଶଙ୍ଖଶଙ୍ଖୀ କତୁରି କଙ୍କଣ
ମଝିରେ କାଚମାନଙ୍କର ଝଣଝଣ
ସେହି ସମ୍ମୋହନ ସ୍ଵନର ପଛରେ ପଡ଼ିଗଲି
ଭଲ ପାଇ ବସିଲି
ସତ କହୁଛି ପ୍ରେମରେ ପଡିଗଲି
ତୁମକୁ ଆପାଦ ମସ୍ତକ ଦେଖିନେଲି
ଆଖି ପଲକରେ ଝଲକରେ ମାପୁ ମାପୁ
ମୁରୁକେଇ ଦେଲି
ରୂପକାନ୍ତିରେ ଦାଉ ଦାଉ ମହାଦେବୀକୁ ସାକ୍ଷାତ କଲି
ମାନବୀ ରୂପରେ କଳ୍ପନା ପ୍ରସୂତା କନ୍ୟାକୁମାରୀ ଆଗରେ ଭେଟିଲି
ପଲକ ହୀନ ଦେଖୁ ଦେଖୁ
ଭଲ ପାଇ ବସିବି କ'ଣ
ପୂଜା କରିବାକୁ ଆତ୍ମା ବେଦିରେ ଭାବିଲି
ସତ କହୁଛି ଅର୍ଚ୍ଚନା ଆରାଧନା କରି ବସିଲି ।

