ସର୍ତ୍ତ ହୀନ ସଂପର୍କ
ସର୍ତ୍ତ ହୀନ ସଂପର୍କ


ସଂପର୍କ ପଲ୍ଲବିତ ହୁଏ ଆପଣା ପଣରେ
ସମୟ ନଈର ସଙ୍ଗମ ତଟରେ
ସବୁ ଜଟିଳତା କୁ ଅତିକ୍ରମ କରି
ପରସ୍ପର ର ହୃଦୟରେ ବିନା ସର୍ତ୍ତରେ ।
ସର୍ତ୍ତ ବ୍ୟବସାୟରେ ଥାଏ
ସଂପର୍କର ସାନିଧ୍ୟରେ ନୁହେଁ,
ସର୍ତ୍ତ ରଖି ପ୍ରେମର ମନ୍ଦିରେ
କେବେ କ'ଣ କାହାକୁ ଭଲ ପାଇ ହୁଏ ।
ଅନୁରାଗ ,ଅଙ୍ଗୀକାର ,ମଧୁ ସମ୍ଭାଷଣ
ଏସବୁ ସର୍ତ୍ତ ହୀନ ଅଭିବ୍ୟକ୍ତି
ଆନ୍ତରିକ ଆଳାପର ଚିନ୍ମୟ ସ୍ବରରେ
ସମର୍ପିତ ଆବେଗର ସ୍ଫୁରିତ ଉକ୍ତି ।
ତଥାପି ଜୀବନ ଯାତ୍ରାର ଅନ୍ତରଙ୍ଗ ଆକା
ଶରେ
ବେଳେ ବେଳେ ସର୍ତ୍ତ ଭରା ବାଦଲ ଘୋଟେ
ସଂପର୍କକୁ ଝଡବର୍ଷାରେ ଭିଜାଇ ଦେବା ପାଇଁ ,
ବ୍ୟକ୍ତିତ୍ଵର ବର୍ଣ୍ଣାଳୀରେ ଚେତନା ଲୁଚକାଳି ଖେଳେ
ଅବଦମିତ କୋହକୁ ଛାତି ତଳେ ଚାପି ରଖି
ପ୍ରେମକୁ ମଝି ଦରିଆରେ ହଜାଇ ଦେବା ପାଇଁ ।
ସେତେବେଳେ ମଣିଷ ବୁଝି ପାରେନା ଯେ,
ସର୍ତ୍ତ , ନା ଥାଏ ଜନ୍ମରେ ନା ମୃତ୍ୟୁ ରେ ,
ତେବେ କିପରି ଗଢାହେବ କୁହ ପ୍ରେମମୟ ଜୀବନ
ଏ ଧରାଧାମେ ଧରାବନ୍ଧା ସର୍ତ୍ତ ରେ ।