ସର୍ବ ଭୂତେଷୁ ନାରାୟଣ
ସର୍ବ ଭୂତେଷୁ ନାରାୟଣ
ପ୍ରତ୍ୟେକ ଜୀବର ଘଟେ ନାରାୟଣ ତାଙ୍କୁ ପାରୁନାହିଁ ଚିହ୍ନି,
ପ୍ରତିଦିନ ଯିବା ଆସିବା କରନ୍ତି ଧନ ରୂପେ ମହାଲକ୍ଷ୍ମୀ |
ପ୍ରତିକ୍ଷଣେ ବାୟୁ ଦେବତା ବାସନ୍ତୀ ଏ' ମାଟି ଘାଟରେ ମୋର,
ପ୍ରତି ଅଙ୍ଗେ ପୁଣି ଗଙ୍ଗା ବହିଚାଲେ ସଚଳ କରି ଶରୀର |
ପ୍ରତି ପ୍ରଭାତରେ ଅଗ୍ନିଦେବ ସୂର୍ଯ୍ୟ ଦେଇ ଯାଉଛନ୍ତି ତାପ,
ପ୍ରତି ମୁହୂର୍ତ୍ତରେ ଆକାଶକୁ ଚାହିଁ ଦେଖିପାରେ ବିଶ୍ୱରୂପ |
ପ୍ରତି ଧୂଳିକଣା ପ୍ରତି ଜଳବିନ୍ଦୁ ପ୍ରତ୍ଯକ୍ଷ ଦେବତା ଜାଣି,
ପ୍ରତିମୂର୍ତ୍ତି ଥାପି ପ୍ରତିହାରୀ ରାଖୀ ହେଉଛି ମୁଁ ପ୍ରତିଗାମୀ |
ପ୍ରତିକାର୍ଯ୍ୟେ ମୋର ପ୍ରତିଗ୍ରହ ଯା'ର ତାଙ୍କୁ କରି ପ୍ରତିକ୍ଷେପ,
ପ୍ରତିପତ୍ତି ମୋର କରି ପ୍ରଦର୍ଶନ ଅର୍ଜୁଛି ଅକ୍ଷୟ ପାପ |
ଅର୍ଥ : ପ୍ରତିହାରୀ- ଦ୍ଵାରପାଳ,
ପ୍ରତିଗାମୀ- ଫେରିଯିବାକୁ ପ୍ରସ୍ତୁତ,
ପ୍ରତିକ୍ଷେପ-ଅସ୍ଵୀକାର,
ପ୍ରତିଗ୍ରହ-ଉପହାର |
