STORYMIRROR

Biswanath Nayak

Romance

3  

Biswanath Nayak

Romance

ସପ୍ତମ ଋତୁ___________

ସପ୍ତମ ଋତୁ___________

1 min
267


କେବେ ଆସେ ବର୍ଷା

କେବେ ବା ବସନ୍ତ

ସବୁବେଳେ ସବୁ ନାହିଁ। 

ସଦା କିନ୍ତୁ ତୁମେ

ରହିଛ ମୋ ମନେ

ଭଲ ପାଇବା କି ଏହି ?


ଗ୍ରୀଷମ ଆଶ୍ଳେଷେ

ତାପିତ ପରାଣ

ନିଦାଘରୁ ଚାହେଁ ମୁକ୍ତି। 

ତୁମ ସେନେହର

ଆଶ୍ଳେଷ ନିରତେ

ଯୋଗାଏ ପ୍ରେରଣା ଶକ୍ତି। 


ମେଘ ଚାଲିଯାଏ

ମେଘ- ସବାରୀରେ

ଧରାରୁ ବିଦାୟ ନେଇ। 

ତୁମ ଓ ମୋ ପାଇଁ

ବିଦାୟ ଶବଦ

ଅପରିଚିତ ଲାଗଇ। 


ଶରତ ଋତୁର

ଶୁଭ୍ର କାଶତଣ୍ଡୀ

ହୁଏ ନାହିଁ ସଦା ଦେଖି। 

ତୁମ କବରୀର 

ଧବଳ ଗଜରା

ସଦା ଥାଏ ମନେ ଲାଖି। 


କେବେ କେବେ ହିମ

ଶିଶିର ପରଶ

ଦେହକୁ ଭିଜାଇ ଦିଏ। 

ତୁମ ମୁଖ-ଇନ୍ଦୁ

ହସର ଶିଶିର

ମନକୁ ସଦା ଭିଜାଏ। 


ଶୀତୁଆ ସକାଳେ

ଶୀତର ଲହରୀ

ଶିହରାଏ ଦିନେ ଦିନେ। 

ତୁମ ସୁମଧୁର

କଥା- ଲହରୀରେ

ସଦା ଶିହରଣ ମନେ। 


ମଧୁ ମଳୟର

ଆଗମ ବାରତା

ବସନ୍ତେ କୋଇଲି ଗାଏ। 

ତୁମେ ସଦା ଗାଅ

ପ୍ରୀତି -ଆଶାବରୀ

ଭଲ ପାଇବା କି ଇଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance