STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନ୍ତାନର ଉକ୍ତି

ସନ୍ତାନର ଉକ୍ତି

1 min
14.5K


ଉତ୍କଳ ଗୌରବ ମଧୁସୂଦନ ଦାସ


ମାଆ ମାଆ ବୋଲି କେତେ ମୁଁ ଖୋଜିଲି

ମାଆକୁ ପାଇଲି ନାହିଁ,

ଭାଇ ଭାଇ ବୋଲି କେତେ ମୁଁ ଡାକିଲି

ନଦେଲେ ଉତ୍ତର କେହି ।।


ଖୋଜିଲି ଅରଣ୍ୟେ ଜନସମାଜରେ

ଖୋଜିଲି ବାରିଧି ତଟ,

ସର୍ବତ୍ର ଦେଖିଲି ମାତା ପଦଚିହ୍ନ

ନ ହେଲା ମାତାର ଭେଟ ।।


ଭୁବନେଶ୍ବରରେ ପଦଚିହ୍ନ ପରେ

ଲେଖା ଅଛି ରାଜରାଣୀ

ନୀଳାଚଳ ଧାମେ ପୂଜା ହେଉଅଛି

ହିନ୍ଦୁ ଜାତି ମଥା-ମଣି ।।


ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ

ଧରା ହୁଏ ବିଦାରଣ,

ଅପମାନ ହେତୁ ସୀତା ଦେବୀଙ୍କର

ମହୀହୃଦେ ବାସସ୍ଥାନ ।।


ଅପମାନ ହେତୁ ଜନନୀ ମୋହର

ଉତ୍କଳ ଭୂମଧ୍ୟବାସୀ

ଉତ୍କଳର ମାଟି ପବିତ୍ର ହୋଇଛି

ସ୍ବର୍ଗାଦପି ଗରୀୟସୀ ।।


ଜନନୀର ଦେଖା କରିବାରେ ଇଚ୍ଛା

ଯଦି ହୋଇଥାଏ ମନେ,

ଉତ୍କଳର ମାଟି ଆଲିଙ୍ଗନ କରି

ତା ଧୂଳି ଲେପ ବଦନେ ।।


ବୀରପ୍ରସବିନୀ କୋଟି ସୂତ ମାତା

ପାଇବ କି ଦରଶନ ?

ମୋ ଭଳି ନିର୍ଗୁଣ ଧନ-ମାନ-ହୀନ

ସନ୍ତାନ କଲେ କି ରୋଦନ ।।


କୋଟିଏ ସନ୍ତାନ ଗୋଟିଏ ସ୍ବରରେ

ଜନନୀ ଜନନୀ ଡାକ,

ତୃଷ୍ଣାରେ କାତର ଗଗନକୁ ଚାହିଁ

ଯେସନେ ଡାକେ ଚାତକ ।।


ଧନ ମାନ ଜନ ଯାହା ଉପାର୍ଜନ

କରିଅଛ ଧରାତଳେ,

ହରଷିତ ମନେ କରତବ୍ୟ ଜ୍ଞାନେ

ଆଣିଦିଅ ଯଜ୍ଞେସ୍ଥଳେ।।


ଜାତି-ପ୍ରେମ-ବହ୍ନି ପ୍ରଜ୍ବଳିତ କର

ସ୍ବାର୍ଥକୁ ଦିଅ ଆହୁତି

ସ୍ବାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ

ଛାତିକୁ ମିଶାଇ ଛାତି।।


ଭୁମିକମ୍ପ ହେବ ଧରଣି ଫାଟିବ

ଉଠିବେ ସହସ୍ରଭୁଜା,

ସେହି ତୋର ମାତା ସେହି ତୋର ତ୍ରାତା

କର ସେହି ପଦପୂଜା ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics