ସନ୍ତାନ
ସନ୍ତାନ
ଏ ବିଶ୍ଵ ବ୍ରହ୍ମାଣ୍ଡେ ଯେହ୍ନେ ଶୋଭାପାଏ
ସୁନ୍ଦର ସାରା ପ୍ରକୃତି,
ପିତାମାତା କୋଳେ ତଦୃପ ଲାଗନ୍ତି
ତାଙ୍କ ସନ୍ତାନସନ୍ତତି।
ସ୍ରଷ୍ଟାଙ୍କ ସୃଷ୍ଟିରେ ନାହିଁ କିଛି ଊଣା
ଜଗତର ଜୀବ ଲାଗି,
ଆସ୍ଥା ରଖି ପ୍ରାଣୀ ଆତ୍ମ ବିଶ୍ଵାସରେ
ହୋଇଥାଏ ଅନୁରାଗୀ।
ଜନ୍ମଦାତାଙ୍କର ସ୍ନେହ ଶ୍ରଦ୍ଧା ଯତ୍ନ
ଅନୁପମ ବରଦାନ,
କଲ୍ୟାଣେ ତାଙ୍କର ସନ୍ତାନ ଗଢଇ
ନିଜ ଆଦର୍ଶ ଜୀବନ।
ଦାୟିତ୍ବ କର୍ତ୍ତବ୍ୟ କରି ସମ୍ପାଦନ
ସନ୍ତାନ ଲଭଇ ଶାନ୍ତି,
ପିତୃ ଧର୍ମ ରକ୍ଷା ଦାୟାଦଙ୍କ ବ୍ରତ
କର୍ମ କରିଥାଏ ଚିନ୍ତି।
ମର୍ଯ୍ୟଦା ପୁରୁଷ ପ୍ରଭୁ ରାମଚନ୍ଦ୍ର
ପିତୃ ଆଜ୍ଞା ସତ୍ୟ ପାଳି,
ବନବାସେ ଦିନ କାଟିଲେ ସରାଗେ
ପତ୍ନୀ ଭ୍ରାତା ସାଥେ ମିଳି।
ସେବା ଯତ୍ନ କରି ପିତାମାତାଙ୍କର
ପୁତ୍ର ଶ୍ରବଣ କୁମାର,
ଯଶ ରଖି ଗଲେ ଏ ସାରା ସଂସାରେ
ଯୁଗେ ଯୁଗେ ହେଲେ ଅମର।
ପୁତ୍ର କନ୍ୟା ଭାବେ ପିତୃମାତୃ ଭକ୍ତି
ସନ୍ତାନର ଶ୍ରେଷ୍ଠ ଧର୍ମ।
ପୁରାଣ ଶାସ୍ତ୍ରରେ ଗାଥା ଇତିହାସେ
ଦୃଷ୍ଟାନ୍ତର କେତେ ମର୍ମ।
ସୁସନ୍ତାନ ସିଏ ନ୍ୟାୟ ନୀତି ପାଳି
କରେ ନିଜର କର୍ତ୍ତବ୍ୟ,
ପିତାମାତା ମନେ ଆଣିଦିଏ ତୃପ୍ତି
ସଦା ସତ୍ୟ ତା' ବକ୍ତବ୍ୟ।
ସଂସାର ସନ୍ତାପ ଦୁଃଖ କ୍ଲେଶ ଭରା
ସବୁ ସହେ ଧୈର୍ଯ୍ୟବାନ,
ସେବା ଯତ୍ନ କରି ଜନ୍ମଦାତାଙ୍କର
ହୁଅଇ ସେ ଭାଗ୍ୟବାନ।
କୁହନ୍ତି ଅନେକ ସୁସନ୍ତାନ ଆଜି
ସମାଜେ ହେଉଛି ଊଣା,
ସତ୍ୟ ମାର୍ଗ ଏଡି ବିପଥେ ଗମନ୍ତି
ଦିଅନ୍ତି ଖାଲି ଯନ୍ତ୍ରଣା।
ଭାଗବତ କହେ ସୁପୁତ୍ର ଉପୁଜେ
ପିତାମାତାଙ୍କର କୋଳେ,
ପ୍ରତିଭା ବିକାଶି ହୁଏ ସେ ମହତ
ପ୍ରାରବ୍ଧର ପୁଣ୍ୟ ବଳେ।
ସଂସ୍କାର ସଂସ୍କୃତି ପିତାମାତା ଦେଇ
କରିଥାନ୍ତି ତାକୁ ଯୋଗ୍ୟ,
ସତ୍ କର୍ମ ବିନା ନାହିଁ ସୁଖ ଶାନ୍ତି
ଏ ସବୁ ଦିଏନା ଭାଗ୍ୟ।
