ସଂଘର୍ଷ
ସଂଘର୍ଷ
ଯୁଦ୍ଧକ୍ଳାନ୍ତ ଅବଶ ଡେଣାରେ
ଉଡିବାର ବଳ ଯାଇଛି ହଜି
ଜୀବନର ଏଇ କୁରୁକ୍ଷେତ୍ରରେ
ନିରବେ ଲଢୁଛି ନିଜ ସାଥେ ଯୁଦ୍ଧ
କେବେ ବଳଶାଳୀ ନିର୍ବଳ କେବେ
କେବେ ହାରିଯାଏ କେବେ ଜିତିଯାଏ
ଜୀବନ କପଟ ପଶାର ବାଜି
ଯୁଦ୍ଧ ଲଢୁଛି ଜୀବନର ମୋର
ଲକ୍ଷ ନଥିଲା ଜିତିବାକୁ କିଛି
ହାରିବାକୁ ତିଳେ ନଥିଲା ଡର
ଅନେକ ପ୍ରାପ୍ତିର କ୍ଷୁଧା ବି ନଥିଲା,
ହରେଇ ଦେବାରେ ଦୁଃଖବି ନଥିଲା
ଦେଇଦେବା ପାଇଁ ଅନେକ କିଛି
ଲଢିବାକୁ ଥିଲା କାରଣ ମୋର
ଜୀବନ ଯୁଦ୍ଧରେ ସାମ୍ନାରେ ମୋର
ଏକୁଟିଆ ମୁଁ ଆଉ ନଥିଲା କେହି
ନିଜକୁ ଦେଖି ମୁଁ ମୁହଁ ମୋଡିଦିଏ
କେତେ ପ୍ରଶ୍ନବାଣେ ଘାଇଲା ହୁଏ
ହଁ ନାହିଁ'ର ଯୁଦ୍ଧରେ କେତେ
ଭୂଲ ଠିକ୍ ର ଅସଂଖ୍ୟ ତର୍କ
କେବେ ହାରିଯାଏ
କେବେ ଜିତିଯାଏ
ଜୀବନର ଏଇ ସଙ୍କଟ ଯୁଦ୍ଧରେ
ଏକାକୀ ନିରବେ ଦେଖେନି କେହି
ହାରିଯାଏ ଯେବେ ପ୍ରତିଦ୍ୱନ୍ଦିକୁ
ଆଲିଙ୍ଗନ ଦେଇ ଧନ୍ୟ କୁହେ
ଜିତିଗଲେ କେବେ ମନ ଅନନ୍ଦରେ
ପ୍ରତିଦ୍ୱନ୍ଦିକୁ ମୋ କୋଳେଇ ନିଏ
ଏଇ ଯୁଦ୍ଧରେ ଯେତେକ ଥିଲେ
ସଭିଏଁ ତ ମୋର ଶତ୍ରୁ ନଥିଲେ
ପ୍ରିୟ ପରିଜନ କିଛି ଆତ୍ମୀୟ ଥିଲେ
ଲକ୍ଷ କେବଳ ପାଇବାକୁ ଥିଲା
ଅନନ୍ତ ଆନନ୍ଦ ଆତ୍ମ ସନ୍ତୋଷ
ପ୍ରେମର ସେଇ ଦିବ୍ୟ ଆଶିଷ
ଯୁଦ୍ଧରେ ଜିତି ଆନନ୍ଦ ଯେତିକି
ହାରିବାରେ ଥିଲା ସୁଖ ଅନେକ
କେଇଗୁଣା ଥିଲା ଆତ୍ମ ସନ୍ତୋଷ
