ସ୍ନାନ
ସ୍ନାନ
ସ୍ନାନ କଲେ ସିନା ଦେହୁ ଛାଡେ ମଳି
ଲାଗଇ ନିଜକୁ ପରିଷ୍କାର
ମନର ମଇଳା ଧୋଇ ନ ପାରିଲେ
ନୁହେଁ କି ଅଶୁଦ୍ଧ ହୃଦୟ-ସର ?
ବ୍ରାହ୍ମମୁହୁର୍ତ୍ତରୁ କରିଲେ ସିନାନ
ନାନା ରୋଗ ହୁଏ ଶରୀରୁ ନାଶ
ବିଟପର ମନ ଏହି ତତ୍ତ୍ବଜ୍ଞାନ
ବୁଝିବା ପାଇଁକି ନୁହେଁ କି ନିଃସ୍ବ ?
ଦେଖି ତିଥି ବାର ଶୁଦ୍ଧ ସ୍ନାନ ପର
ପିତୃଦେବତାଙ୍କୁ ପିଣ୍ଡ ତର୍ପଣ
ଜୀବଥିବା ବେଳେ ଖୁସି ଜଳେ ସ୍ନାନ
ନୁହଁଇ କି ତାହାଠୁ ମୂଲ୍ୟବାନ ?
ସ୍ନାନ ପରେ ନର ପୂଜି ଦେବଦେବୀ
ତାଙ୍କଠୁ ଆଶିଷ ଭିକ୍ଷା ମାଗଇ
ବିନା ସ୍ନାନେ କ’ଣ ସେହି ଶୁଭାଶିଷ
ତାହାର ମନଟି ଲୋଡ଼ି ନଥାଇ ?
ପ୍ରାଣାୟମ ଯୋଗ ଆସନ ଧ୍ୟାନରେ
ବିଭୁ ଚିନ୍ତନରେ ମନର ସ୍ନାନ
ମୁକତିର ପଥେ ନେଇ ଯାଏନି କି
ଆତ୍ମା ପରମାତ୍ମାର ଏ ମିଳନ ?
ଯିଏ ହିଁ କେବଳ ସାରେ ରାତିଦିନ
ଜ୍ଞାନସାଗରରେ କରିକି ସ୍ନାନ
କେଉଁ ଲାଭ କୁହ ଧରୁ ଯେତେ ଜ୍ଞାନ
ନ କରଇ ଯେବେ କେବେ ବଣ୍ଟନ ।
ଭକ୍ତ ଭକ୍ତିଜଳେ କରଇ ସିନାନ
ତାହାର ଅଭୀପ୍ସା ପୂରଣ ପାଇଁ
ବରଷକେ ଥରେ ଆମ ମହାପ୍ରଭୁ
ସ୍ନାନ ମଣ୍ଡପରେ ସେଇଥିପାଇଁ ।
ଶହେ ଆଠ ଗରା ସୁବାସିତ ଜଳେ
ଘସିମାଜି ହୋଇ କରନ୍ତି ସ୍ନାନ
ଢାଳେ ଆନନ୍ଦାଶ୍ରୁ ଭାବରେ ଭକତ
ସିନାନ କରାଇ ତା’ର ନୟନ ।
ଶୁଦ୍ଧତା ଜଳରେ ନଧୋଇ ହୃଦୟ
କେବଳ ସ୍ନାନରେ ଦେଲେ ଗୁରୁତ୍ତ୍ବ
ମିଳି ନପାରଇ ଶୁଭଫଳ କେବେ
ଯେତେଦିନ ବୁଝି ନାହିଁ ମହତ୍ତ୍ଵ ?
ଧନ ବଇଭବ ଗର୍ବ ଅହଂକାରେ
ମନଟିକୁ ଯିଏ ଧୁଏ ସର୍ବଦା
ଲାଖି ନ ପାରଇ ଆପଣାର ହୋଇ
କେହି ବି ଆନର ହୃଦୟେ କଦା ।
ଧୋଇଲେ ମଧୁର ବିନୟ ବଚନେ
ସିନା ମୁଖ ଦିଶୁଥିବ ସୁନ୍ଦର
କଟୁକ୍ତି କେବେ କି ତୋଷାଇ ପାରଇ
ଆନ ଅନ୍ତରକୁ ଭାବନା କର ।
ପ୍ରୀତି ମମତାର ଜଳରେ ସିନାନ
କରାଇ ପାରିଲେ ନିଜଠୁ ଆନେ
ଚହଟି ବାସିବ ହୃଦୟୁ ହୃଦୟ
କେହି ବି ତାହାର ଗୁଣ-ଚନ୍ଦନେ ।
ଦୟା କରୁଣାର ବାରିରେ କାହାର
ହୃଦୟକୁ ଯିଏ ପାରଇ ଧୋଇ
ଦୟାମୟଙ୍କର ଚରଟିଏ ବୋଲି
ଆନ ମୁଖ ତାକୁ ନିଶ୍ଚେ ଗଣଇ ।
ଋତୁ ଅନୁସାରେ ଶୀତ ଉଷ୍ଣ ନୀରେ
ଦେହସ୍ନାନ ସିନା କରାଏ ଦେହୀ
ମନ ମଇଳାକୁ ଯେବେ ନକାଢ଼ଇ
ତାକୁ ଆତ୍ମସୁଖ କି ମିଳିଥାଇ ?
ମନଟିକୁ ଧୋଇ ଅପବିତ୍ର ଜଳେ
କୁକର୍ମରେ ସୁଖ ସିନା ପ୍ରାପତ
ସେଥିରୁ କେବେ କି ପାରଇ କେ ଦେଖି
ନିଜ ଜୀବନର ମୁକତି ପଥ ?
ଉଲସି ଉଠଇ ଧରଣୀର ବୁକୁ
ପହିଲି ଆଷାଢୀ ସ୍ନାନେ ଯେପରି
ଧୋଇ ହେଲେ ଟିକେ ପହିଲି ପ୍ରେମରେ
ଶିହରିତ ତନୁମନ ସବୁରି ।
ଧୋଇ ହୁଏ ଦୁଃଖ ଯନ୍ତ୍ରଣା ଜଞ୍ଜାଳେ
ଯେବେ ସବୁବେଳେ ମନରେ କିଏ
ସୁଖ ଚୁମିବାକୁ ଚାହିଁଲେ ବି ଟିକେ
ନିରାଶାରେ ଭିଜେ ନାହିଁ କି ସିଏ ?
କର୍ମ ଭଗବାନ କର୍ମ ହିଁ ଜୀବନ
ପଖାଳି ହୁଏ ଯେ ସଦା ସେଥିରେ
ସୁଖକୁ କୋଳେଇ ଗରିମା ବଢ଼ାଇ
ବାଟ ଚାଲେ ପରା ହସଖୁସିରେ ।
ପିତାମାତାଙ୍କର ଆଶିଷ ଝରରେ
ଯିଏ ସଦା କରେ ଅବଗାହନ
ଛୁଇଁ ନପାରଇ ବିପଦ କି ଦୁଃଖ
ସଂସ୍କାର ତୋଳି ସାକାର ଜୀବନ ।
ସ୍ନାନର ଅର୍ଥକୁ ବୁଝି ଯେବେ ସର୍ବେ
କରିବେ କରମେ ପ୍ରତିଫଳିତ
ଆତ୍ମାଠାରୁ ଶୁଦ୍ଧ ହୋଇ ପରିବେଶ
ହସିଉଠିବ ଏ ସାରା ଜଗତ ।।