ସମୟର ବୋଝ
ସମୟର ବୋଝ
ନୁଆଁଣିଆ ଚାଳଘର କାନ୍ଥକୁ ଆଉଜି
ଆକାଶକୁ ଚାହିଁଛି ଅପଲକେ
ହନୁହାଡ଼ ଖୋଳ ଭିତରେ ଥିବା ଜୁଳୁକା ଆଖି ଦିଟା
କଲିଜା ଭିତରେ ହାତୁଡି ପିଟୁଛି
କେତେବେଳୁଁ ସେ ବିତିଲା ଦିନ ଗୁଡା
ପିଠିରେ ବୋହୁଛି ଅସରନ୍ତି
ସମୟର ବୋଝ ।।
ଗହିରିଆ ଗରମ ନିଃଶ୍ୱାସ ପବନରେ
ବର୍ତ୍ତମାନ ଟା ଉଜୁଡି ଗଲାଣି ତା'ର
ଆଗପଛ ମାପୁଛି ବିଶ୍ବାସ ତରାଜୁଟା ଧରି
ଝୁଲି ପଡୁଥିବା ପଲାଟାକୁ ସେପୁଣି
ସମତୁଲ କରିବ
ତା କାମିକା ହାତ ଆଉ ଦମ୍ଭିଲା ମନରେ
ସବୁକୁ ସେ ଦେଖୁଛି ଫେଣ୍ଟିଫାଣ୍ଟ
ଦେଖୁଛି ଆସନ୍ତା କାଲିକୁ ।।
ଅଦୃଷ୍ଟ ଅକମ୍ପ କମ୍ପନରେ କମ୍ପୁଛି
ତା ଚମଘୋଡା ପିଞ୍ଜରା ସହ ହାଡୁଆ
ଛାତିଟା
ହୃଦୟରୁ ଦଲକା ପବନ ବାହାରୁଛି
ଦୀର୍ଘଶ୍ଵାସ ହୋଇ
କେତେ କରୁଣ କେତେ ବିଭତ୍ସ ଦୃଶ୍ୟ
ତା ବତୁରା ଆଖି ସାମ୍ନାରେ
ମୃତ୍ୟୁକୁ ହାତ ପାହାନ୍ତାରେ ଛୁଉଁ ଥିବା
ଜୀଅନ୍ତା ଶବ ଗୁଡାକ ।।
ବନ୍ଦୀ ନୁହେଁ ସେ
ତଥାପି, ସେ ବନ୍ଦୀ ଚାରିପାରୁଶରେ
ଅସ୍ପୃଶ୍ୟ ନୁହେଁ ସେ
ତଥାପି, ଅସ୍ପୃଶ୍ୟ ସେ ନିଜ ଇଲାକାରେ ।।
ଜିଇଁବା ମୋହ ତାକୁ ଆଡେଇ ନେଉଛି
ମାଡ଼ନ୍ତି ଲତାଟେ ପରି
ସମୟ ବୋଝକୁ ଟିକେ ଉତ୍ତାରିବାପାଇଁ ଉଠାଣି ପକାଣି
ଜୀବନ ରାସ୍ତାରେ ଚାଲିଛି
ଅଣନିଶ୍ଵାସୀ ହୋଇ
ନୂଆଏକ ସ୍ଥିର ଯାତ୍ରାର ସମ୍ଭାବନା
ନିମନ୍ତେ ।।