ସମୟର ଅନ୍ୟ ନାମ ଦର୍ପଣ କି
ସମୟର ଅନ୍ୟ ନାମ ଦର୍ପଣ କି
ହଠାତ ସେଦିନ ଦର୍ପଣ ଖସି ଚୁରମାର ହୋଇଗଲା
ଆଉ ଅଳ୍ପ କ୍ଷତାକ୍ତ କଲା କିନ୍ତୁ ବହୁତ ରକ୍ତ ଝରିଲା
ଯେବେ ତମେ କହିଲ, ଆଉ ସେଟା କଣ ଦରକାର
ଦର୍ପଣ କଣ ସମୟ କହୁଥିଲା ବାଲା ଘଣ୍ଟା
ତାର ବି କଣ ଥିଲା ଦୁଇଟା କଣ୍ଟା
ଗୋଟେ ବୋଧେ ସୂଚାଇ ଦେଉଥିଲା ପିଲାଦିନ
ଓ ଆଉ ଗୋଟେ ଯୌବନ?
ତେବେ ପ୍ରୌଢ଼, ବୃଦ୍ଧ ହେଲେ,
ଦର୍ପଣ ଦେଖିଲେ ଜଣେ ଚମକେ କାହିଁକି?
କେବେ କେବେ ଆର୍ଲଜାଇମର ଶିକାର ବି ହୁଏ
କେବେ ଦର୍ପଣ ଭିତରେ ଖୋଜିବାକୁ ବି ହୁଏ
ପିଲାଦିନ, ସ୍ମୃତି, ମହମହ ବାସେ
ବଧୂବେଶ, ସାଜସଜ୍ଜା ସବୁ ଉପହାସେ
ତଥାପି ପାଚି ଯାଇଥିବା ଚୁଟି ଓ ସବୁକିଛି
ଘୋଡାଇ ପକାଇବାରେ ଦର୍ପଣ କଣ କରେନା ସାହାଯ୍ୟ !
ମିଛ କହେ କି?
ତ ସମୟ ନୁହେଁ ସିଏ !
ତୁଚ୍ଛା ମିଛୁଆ କାଚରେ ସେହି ବିଜ୍ଞାନ ଭିତ୍ତିକ ରଙ୍ଗ
ଅଠା ଟିକକ ପା ସତ
ତମେ ବୁଝିଗଲ ନା ନାହିଁ
ହେଲେ ଛୋଟ ଛୋଟ ଟୁକୁଡା ଗୁଡ଼ାକରେ
ମୁଁ ଦେଖୁଥିଲି କେତେ ମୁଁହ
ତମର ମୋର ଅବା ସମୟର ।
