ସମୟ
ସମୟ


ସାରା ଜଗତରେ ସକଳ ଅନ୍ତରେ
ସମୟ ଶୁଣାଇ ନିନାଦ
ଚେତନ ପିଣ୍ଡରେ ଚେତନାକୁ ଭରି
ଘୁଞ୍ଚାଇ ପାରେ ପରମାଦ ।
ଅତି ବଳବାନ ପରା ଏ ସମୟ
କା' ଭାଗ୍ୟେ କଅଣ ଲେଖଇ
ନ ପାରଇ କହି ଏ ମରତେ କେହି
ଏକୁଟିଆ ସିଏ ଜାଣଇ ।
ଠିକ୍ ସମୟରେ ଠିକ୍ କାମ କଲେ
ବିବେକର ଅନୁମୋଦନେ
ଗୋଟେ ପରେ ଗୋଟେ ସଫଳତା ଲଭି
ସୁଖୀ ହେବ ନିଶ୍ଚେ ଜୀବନେ ।
ସମୟକୁ ଯେବେ କର ହାତଛଡା
ଦେବ ନାହିଁ କେବେ ତା' ମୂଲ
ହୋଇବ ହତାଶ ମନେ ଅବସୋସ
ଚାହିଁ ରହିବ ବଲବଲ ।
ଗତ ହୋଇଗଲେ ଆଉ ନ ଫେରଇ
ଖୋଜିଲେ ବି ମିଳଇ ନାହିଁ
ଯେତେବେଳେ ଯାହା
କରିବାକୁ ଅଛି
ପୂର୍ବରୁ ଲାଗିପଡ଼ ତହିଁ ।
ସମୟ ସାଥିରେ ହସିବ ଜୀବନ
ଦୁଃଖ ତାପକୁ ଅପସାରି
ଅତ୍ୟନ୍ତ ସୁଲଭ ଥିବ ଅଗ୍ରଗତି
ଆନନ୍ଦାନୁଭବକୁ ଧରି ।
ହସକାନ୍ଦ ଭରା ମଣିଷ ଜୀବନ
ସବୁ ଏ ସମୟର ଖେଳ
ତାକୁ ଜିତିବାର ଦୁଃସାଧ୍ୟ ଯା' ପାଖେ
ଥାଏ ବିଭୁ ଆଶିଷ ବଳ ।
କରିବାକୁ ସିନା ତା' ଗତିକୁ ରୋଧ
ସକ୍ଷମ ନୁହେଁ କେ ସଂସାରେ
ସତ୍ୟ ଧର୍ମ ନ୍ୟାୟ ସଙ୍ଗେ ଲଢ଼ି ଲଢ଼ି
ଚିହ୍ନ ରଖି ପାରେ ଦେହରେ ।
ସୁକର୍ମ କେବଳ ସଦା ତେଜସ୍କର
ରହଇ ସମୟ ବକ୍ଷରେ
ସେଥିରେ ମନକୁ କରାଇ ନିବେଶ
ଧାଉଁଥାଅ ଲକ୍ଷ୍ୟ ପଥରେ ।।