ସମୟ ତୁ ଟିକେ ରହିଜା
ସମୟ ତୁ ଟିକେ ରହିଜା
ରେ ସମୟ ତୁ ଟିକେ ରହିଜା
ସରିନି ମୋ କାମ
ପାଶେ ଅଛନ୍ତି ମୋ ହୃଦୟ ରାଜା
ମନୋରଂଜନ ।
ମୋ ସଂସାର ଭାର ବଢ଼ାଇ ତା'ଙ୍କୁ
ଚଳିବି ଧୀରେ
ବୁଝାଇ କହିବି ଧୋଇବେନି ମୁଖ
ସେ ଆଖି ନିରେ ।
ରଖିବେ ସାଇତି ମନ ବଗିଚାରେ
ମୋ ସ୍ବପ୍ନ ଫୁଲ
ପ୍ରୀତି ଉପହାର ସେଇତ ଆମର
ଅମୂଲ ମୂଲ ।
ଜଗୁଆଳି ସାଜି ଦେଇ ଦାନା ପାଣି
ନେବେ ଯତନ
ପାଖୁଡାକୁ ତାର ନ ଦେବେ ହେବାକୁ
କୀଟ ଦଂଶନ ।
ସୁନ୍ଦର ଏକ ପ୍ରଜାପତି ଡେଣା ତଳେ
ଦେବେ ସଜାଇ
ପାଇ ତା ପରଶ ଖୁସିରେ ନାଚିବ
ମଥା ହଲାଇ ।
ତେବେ ଯାଇ ମୋ ତପତ ହୃଦୟ
ହେବ ଶୀତଳ
ତୋ ସାଥେ ପାରିବି ଯାଇ ସମୟରେ
ବୁଡାଇ ବେଳ ।
ଟିକ ଟିକ ଶବ୍ଦ ତୋର ମୋ କାନେ ବାଜି
କରେ ଅସ୍ଥିର
ମୁହୂର୍ତ୍ତେ ରହିଜା ଆସୁଛି ବୁଝାଇ
ପ୍ରୀୟଙ୍କୁ ମୋର ।

