ସମୟ ସାଗରରେ ମୁଁ କ୍ଷୁଦ୍ର ଲହରୀ
ସମୟ ସାଗରରେ ମୁଁ କ୍ଷୁଦ୍ର ଲହରୀ
ସମୟ ସାଗରରେ ମୁଁ ଏକ କ୍ଷୁଦ୍ର ଲହରୀ
ଅମାପ ଗଭୀରତାର ଜଳ ପୃଷ୍ଠ ଉପରେ
ସାମୟିକ ଭାବରେ ଖେଳି ଖେଳି
ପ୍ରବଳ ଇଚ୍ଛା ଆଗ୍ରହକୁ ନେଇ ଯାଏ ଛୁଟି
ଛୁଇଁବାକୁ ଆଶାର ସେ ବାଲୁକା ଶଯ୍ୟା
ରହିଛି ଯା'ର ପ୍ରଶସ୍ତିର ବିସ୍ତୀର୍ଣ୍ଣ ବେଳାଭୂମି
ମନେ ମୋର ସପନ ନାଚେ ଅସୁମାରୀ
ସମୟ ସାଗରରେ ମୁଁ ଏକ କ୍ଷୁଦ୍ର ଲହରୀ
ନିଜ ଅସ୍ତିତ୍ବରେ ନାହିଁ ମୋର ସ୍ଥାୟୀତ୍ବ
ଅଦୃଷ୍ଟ ଶକ୍ତିର ଇଙ୍ଗିତେ ବୁଝେ କିଛି ଦାୟିତ୍ବ
ପାଣିର ଗାର ହୋଇ ପାଣିରେ ମିଶାଯାଏ
କ୍ଷଣିକରେ ମୋର ମିଛ ପ୍ରତିଷ୍ଠାର ବ୍ୟକ୍ତିତ୍ଵ
ସାଗରର ଅନନ୍ତ ଜଳରାଶିରେ ମୁଁ ଅତି କ୍ଷୀଣ
ଆବେଗର ପ୍ରବେଗରେ ଉଠୁଥାଏଁ ଫୁଲି
ହୃଦୟକୁ ଢ଼ାଙ୍କି କିଛି ଅହମିକାର ଆସ୍ତରଣ
ଚିନ୍ତା ଚେତନାରେ ହୁଏ ମୁଁ ଭାବପ୍ରବଣ
ଧାଇଁ ଥାଏଁ ଅହେତୁକ ଆଡମ୍ବରକୁ ବିସ୍ତାରି
ସମୟ ସାଗରରେ ମୁଁ ଏକ କ୍ଷୁଦ୍ର ଲହରୀ
ଦିବସରେ ସୂର୍ଯ୍ୟର ଉଜ୍ଜ୍ୱଳ ସୁନେଲି କିରଣ
ମୋ ଦେହରେ ପଡ଼ିଲେ ହୁଏ ଜାଜ୍ଜ୍ୱଲ୍ୟମାନ
ରଜନୀର ଘନ ଅନ୍ଧକାରେ ହୁଏ ଦୃଶ୍ୟହୀନ
ଜହ୍ନରାତିର ସ୍ନିଗ୍ଧ ଜୋଛନାରେ ହୁଏ ମୁଗ୍ଧ
ଆଖି ଆଇନାରେ ଝଲସି ଉଠେ ମଧୁର ସପନ
ପ୍ରକୃତିର ସୁନ୍ଦର ରୂପରେଖର ମୁଁ ପ୍ରତିଫଳନ
ଉଦ୍ଦାମତାର ଅହଂଭାବ ମନରେ ନେଇ
ଉପଭୋଗ କରିଚାଲେ ମୋର ଓଳିକ ଜୀବନ
ଯଦିଓ ଭଲ ଭାବେ ଜାଣି କରେ ହୃଦବୋଧ
ନିମିତ୍ତ ମାତ୍ର ପାଇଁ ମୋର ଏ ଆସ୍ଫାଳନ
ତଥାପି ନିଜକୁ ନିଜେ ପାରେନା କରି ନିୟନ୍ତ୍ରଣ
ସବୁ ଏ ସମୟର ଫୁତ୍କାରରେ ଯିବ ଅପସରି
ସମୟ ସାଗରର ମୁଁ ଏକ କ୍ଷୁଦ୍ର ଲହରୀ ।
