ସମୟ ମାଗୁଛି ଟିକେ ସମ୍ମାନ
ସମୟ ମାଗୁଛି ଟିକେ ସମ୍ମାନ
ସମୟ ମାଗୁଛି ସନମାନ ଟିକେ
କରାଇବାକୁ ତତ୍ପର
ତା' ସାଥିରେ ପାଦ ଥାପି ଚାଲିବାକୁ
ଏବେ କାମ ଏବେ କର ।
ଅପେକ୍ଷା କରିବ ନାହିଁ ସେ କାହାକୁ
ଅନବରତ ତା' ଗତି
ସସମ୍ମାନେ ତାକୁ ଧରି ପ୍ରତିକ୍ଷଣ
ବଢ଼ାଅ ନିଜର ଖ୍ୟାତି ।
ଚାଲିଗଲେ ସିଏ ଆଉ ଫେରିବନି
ଭାଳିହେବା ବୃଥା ସିନା
ତାକୁ ଯେ ଜାଣିଛି ସନମାନ ଦେବା
ନଥାଏ ଟିକେ ଶୋଚନା ।
ବାଳକ, ଯୁବକ ହେଉ ଅବା ବୃଦ୍ଧ
ବୁଝି ସମୟର ମୂଲ୍ୟ
ଯେତେବେଳେ ଯାହା ଆଗ୍ରହରେ କର
ଆନକୁ ନକରି ତୁଲ୍ୟ ।
ସମୟଟା ପରା ବଡ଼ ବଳବାନ
ତାକୁ ରୋକିହୁଏ ନାହିଁ
ଆଳସ୍ୟ ଦୂରେଇ ଚାଲିଲେ ଆଗେଇ
ହାତେ ଧରାଦେବ ସେହି ।
ସୁକର୍ମେ ତାହାକୁ ସାଇତି ପାରିବା
ଗାନ୍ଧୀ ଗୋପବନ୍ଧୁ ସମ
ଯଶକୀର୍ତ୍ତି ଅର୍ଜି ଦୁନିଆ ବୁକୁରେ
ଚିର ଅମଳିନ କର୍ମ ।
କୁକର୍ମରେ ମାତି ଲଭିଲେ କୁଖ୍ୟାତି
ସେ ପାଣି ଫୋଟକା ପରି
ଅନାମଧେୟ ଏ ଜୀବନ ଶେଷରେ
ଅସହାୟତାକୁ ବରି ।
ସେଥିପାଇଁ ତାକୁ ଅସାର ନମଣି
ନକରି କେ ହତାଦର
କରମ ସାଥିରେ ନିତି ଯୁଝି ଯୁଝି
ଜୀବନ ସାର୍ଥକ କର ।
