ସ୍ମୃତି
ସ୍ମୃତି


ସ୍ମୃତି ତୁମେ ଏକା ଆଷାଢ଼ି ଶ୍ରାବଣ
ଢୋ ଢୋ ବାରିଧାରା ,
ସ୍ମୃତି ତୁମେ ଏକା ଅନୁଢ଼ା କିଶୋରି
ଦେହରେ ଯୌବନ ଭରା ।୧।
ସ୍ମୃତି ତୁମେ ଏକା ପୂର୍ଣ୍ଣିମାର ଜହ୍ନ
ରଙ୍ଗିନ ଆଲୋକ ପସରା,
ସ୍ମୃତି ତୁମେ ଏକା ମନ ଆକାଶର
ଅଦେଖା ସ୍ବପ୍ନ ଈଶାରା ।୨।
ସ୍ମୃତି ତୁମେ ଏକା ପାନ୍ଥଶାଳା ର
ଉଆଁସର ମଲା ଜହ୍ନ,
ସ୍ମୃତି ତୁମେ ମୋ ପ୍ରିୟା ସୁନ୍ଦରି ର
ଗାଲେ କଲାଜାଇ ଚିହ୍ନ ।୩।
ସ୍ମୃତି ତୁମେ ଏକା ରାତିର ମହକ
ପ୍ରିୟାର ଫୁଙ୍ଗୁଳା ଛାତି,
ସ୍ମୃତି ତୁମେ ମୋ ପ୍ରିୟା ଇସାରାରେ
ଦେହରେ ବଢ଼ାଅ ତାତି ।୪।
ସ୍ମୃତି ତୁମେ ଏକା ଶାମୁକା ଶରୀରେ
ସାଇତା ମୋତିର ବିନ୍ଦୁ,
ସ୍ମୃତି ତୁମେ ମୋ ଖୋଲା ହୃଦୟର
ଅପାସୋରା ଭାବ ବନ୍ଧୁ ।୫।
ସ୍ମୃତି ତୁମେ ଏକା ଶୀତ ସକାଳର
ଏକାନ୍ତ ଉଷ୍ମ ପରଶ,
ସ୍ମୃତି ତୁମେ ଏକା ପାହାନ୍ତି ଵେଳାରେ
ମୋ ପ୍ରିୟାର ସ୍ୱପ୍ନରେ ଆସ ।୬।
ସ୍ମୃତି ତୁମେ ଏକା ଲାବଣ୍ୟ ବତିର
ସୁନ୍ଦର ଅପରୂପ ଶୋଭା,
ସ୍ମୃତି ତୁମେ ମୋ ପ୍ରିୟାର ଚିଠିରେ
ନୀଳ ଲଫାପାର ଲେଖା ।୭।
ସ୍ମୃତି ତୁମେ ମୋ ମନ ଆକାଶର
କେତେ ରଙ୍ଗିନ ସ୍ବପ୍ନ,
ସ୍ମୃତି ତୁମେ ମୋ ସୁଖ ସାଗରରେ
ସାଇତା ଫଗୁଣ ଭସ୍ମ ।୮।
ସ୍ମୃତି ତୁମେ ଏକା ସାଗର ବକ୍ଷର
ତରଙ୍ଗାୟିତ ଜଳରାଶି,
ସ୍ମୃତି ତୁମେ ମୋ ପ୍ରିୟା ର ମନକୁ
ଆନ୍ଦୋଳିତ କର ଆସି ।୮।
ସ୍ମୃତି ତୁମେ ମୋ ମନ ପବନର
ନିସଙ୍ଗ ରାତ୍ରିର ସାଥି,
ସ୍ମୃତି ତୁମେ ମୋ ପ୍ରିୟାର ବନ୍ଧନିରେ
କେତେ ରଜନୀ ଯାଏ ବିତି ।୯।
ସ୍ମୃତି ତୁମେ ମୋ ପ୍ରିୟାର ଆଖିରେ
କେତେ ଦୁଃଖ ସୁଖର ଦାଗ,
ସ୍ମୃତି ତୁମେ ମୋ ପ୍ରିୟାର ଚାଲିରେ
କେତେ ଠାଣି କେତେ ବାଗ ।୧୦।
ସ୍ମୃତି ତୁମେ ଏକା କୋଣାର୍କ କାନ୍ଥରେ
ରୂପବତୀ ନାରୀ ଟିଏ,
ସ୍ମୃତି ତୁମେ ଏକା ନାଟ୍ୟ ସାହିତ୍ୟର
ଚିତ୍ରିତ ଭାଷା ଟିଏ ।୧୧।
ସ୍ମୃତି ତୁମେ ଏକା ସକାଳର ସ୍ବପ୍ନ
ସନ୍ଧ୍ୟାର ମଉନ ଗୋଧୂଳି,
ସ୍ମୃତି ତୁମେ ଏକା ପଶ୍ଚିମା ଆକାଶେ
ରଙ୍ଗରେ ହୁଅ ବୋଳି ।୧୨।
ସ୍ମୃତି ତୁମେ ଏକା ମୋ ଚିରା କାଗଜ ର
ଅଲିଭା ଆଲେଖା କାଳି,
ସ୍ମୃତି ତୁମେ ଆସ ମୋ ପ୍ରିୟାର ଆଖିରେ
କଳା କଜ୍ଜଳ ବୋଳି ।୧୩।
ସ୍ମୃତି ତୁମେ କେବେ ଝାଞ୍ଜି ବୈଶାଖୀ
ଦେହ ଓ ମୁଣ୍ଡରେ ଝାଳ,
ସ୍ମୃତି ତୁମେ କେବେ ମୋପ୍ରୀୟା ନିଦରେ
ପାହାନ୍ତି ର ଗଣ୍ଡଗୋଳ ।୧୪।
ସ୍ମୃତି ତୁମେ କେବେ ମୋ ପ୍ରିୟା ଗଭାର
ମହ ମହ ମଧୁ ବାସ୍ନା,
ସୃତି ତୁମେ କେବେ ମୋ ହୃଦୟ ଭାବନା
ପ୍ରିୟାର ପ୍ରେମର ଭାଷା ।୧୫।
ସ୍ମୃତି ତୁମେ କେବେ ଆସ ମୋ ଅଗଣାରେ
ଫୁଲର ଫଗୁଣ ନେଇ,
ସ୍ମୃତି ତୁମେ କେବେ ଆସ ମୋ ପ୍ରିୟାର ମନରେ
କେତେ କେତେ ସ୍ବପ୍ନ ଭରିଦେଇ ।୧୬।
ସ୍ମୃତି ତୁମେ କେବେ ମୋ ଅଭୁଲା ପ୍ରେମର
ମିଠା ମିଠା ଗୀତ,
ସ୍ମୃତି ତୁମେ କେବେ ମୋ ଗାଆଁ ଚାଟଶାଳୀ
ଝିଅ ସାଙ୍ଗ ମିତ ।୧୭।
ସ୍ମୃତି ତୁମ ପାଇଁ ମୋ ଅଭିମାନୀ ପ୍ରିୟା
କେତେ କେତେ ରାତ୍ରି ଜାଗେ,
ସ୍ମୃତି ତୁମେ କେବେ ମୋ ଉଜାଗର ରାତ୍ରି
ପ୍ରିୟାର ପଣତ ମାଗ ।୧୮।
ସ୍ମୃତି ତୁମେ କେବେ ମୋ ବଂଶୀର ସ୍ୱର
ଭାର୍ଗବୀ ନଦୀର ପାଣି,
ସ୍ମୃତି ତୁମେ କେବେ ମୋ ପ୍ରିୟାର ଗାଁରୁ
ତା ଭାବନାକୁ ଦିଅ ଆଣି ।୧୯।
ସ୍ମୃତି ତୁମେ କେବେ ମୋ ଅନ୍ତଃ ପୁର ର
ରାତି ଓ ରତିର ବାସ୍ନା,
ସ୍ମୃତି ତୁମେ କେବେ ମୋ ପ୍ରିୟା ଓଠର
ଗୋଲାପି ଗୋଲାପି ରସ୍ନା ।୨୦।
ସ୍ମୃତି ତୁମେ କେବେ ମୋ ଯୁଗଳ ନେତ୍ରର
ଆନନ୍ଦର ଅଶ୍ରୁ ଜଳ,
ସ୍ମୃତି ତୁମେ ମୋ ଜୀବନକୁ ଆଜି
କରିଛ ସହଜ ସରଳ ।୨୧।
ସ୍ମୃତି ତୁମେ କେବେ ମୋ ବିରହ ବେଦନା
ଅସ୍ପଷ୍ଟ ହଜିଲା ଦିନ
ସ୍ମୃତି ତୁମେ କେବେ ମୋ ପ୍ରାଣ ନଦୀର
ଟିକ୍ ଟିକ ର ସ୍ପନ୍ଦନ ।୨୨।
ସ୍ମୃତି ତୁମେ କେବେ ମୋ ହଜିଲା ଦିନର
ମୃତ୍ୟୁର ମଧୁର ଆଭାସ ,
ସ୍ମୃତି ତୁମେ ମୋ ମାନେ ଆସିବାରେ
ହୁଏ ଆଲୋକର ପ୍ରକାଶ ।୨୩।
ସ୍ମୃତି ତୁମେ ଏକା ଆମ ସମ୍ପର୍କର
ସାଥି ସାକ୍ଷୀ ନିର୍ଜନତାରେ,
ସ୍ମୃତି ତୁମେ କେବେ ପ୍ରାଣ ପ୍ରିୟା ଜନ
ବହି ଯାଏ ଧିରେ ଧୀରେ ।୨୪।
ସ୍ମୃତି ତୁମେ ମୋ ଅତୀତ କାନ୍ଥର
ରଙ୍ଗିନ ପଟ୍ଟଚିତ୍ର,
ସ୍ମୃତି ତୁମେ କେବେ ମୋ କ୍ଷୀଣ ଚେତନାର
କେତେ ମହନୀୟ ମିତ୍ର ।୨୫।
ସ୍ମୃତି ତୁମେ କେବେ ସଂସାର ର ଧର୍ମ
କର୍ମ ମୋ ଜୀବନର,
ସ୍ମୃତି ତୁମେ ଆଜି ମୋ କବିତା ରେ
ସୃଷ୍ଟି କର ଶବ୍ଦର ଜୁଆର ।୨୬।
ସ୍ମୃତି ତୁମେ କେବେ ମୋ ପ୍ରିୟାର ଠିକଣା
କେତେ ଅଙ୍କା ବଙ୍କା ରାସ୍ତା,
ସ୍ମୃତି ତୁମ ପାଇଁ ଆଜି ଚାଲୁଛି ମୁଁ ବାଟ
କେତେ ପାହାଡ଼ ,ନଦୀ ଡେଇଁ ।୨୭।
ସ୍ମୃତି ତୁମେ ଏକା ମୋ ରଙ୍ଗମଞ୍ଚ
ନାଟକର ଶେଷ ଅଙ୍କ,
ସ୍ମୃତି ରହିଯାଏ ମୋ ମରିବାରେ
ରହିଯାଏ ମୋ ଶରୀର ଭସ୍ମ ।୨୮।