STORYMIRROR

SARATA KUMAR DAS

Fantasy Others

4  

SARATA KUMAR DAS

Fantasy Others

ସ୍ମୃତି ତମେ

ସ୍ମୃତି ତମେ

1 min
236


ସ୍ମୃତି ତମେ କେବେ କଅଁଳ ସକାଳ

କେବେ ମଧ୍ୟାହ୍ନର ତାତି

କେବେ ଲାଗ ତମେ ମ୍ଳାନ ଅପରାହ୍ଣ 

କେବେ ତାରାଭରା ରାତି ।।  


ସ୍ମୃତି କେବେ ତମେ ମନ ତଳ ମୋର

ଅବ୍ୟକ୍ତ ଗୋପନ ଭାଷା

କେବେ ଲାଗ ତମେ ନିଥର ନୀରବ

କେବେ ଶାନ୍ତ ସ୍ନିଗ୍ଧ ଉଷା  ।।


ସ୍ମୃତି ତମେ କେବେ ଫଗୁଣ ମହକ

ଚନ୍ଦନ ବନର ବାସ୍ନା

କେବେ ଲାଗ ତମେ ପ୍ରୀତି କୁଂଜବନ 

ଭିଜା ଭିଜା ମିଠା ଜ୍ୟୋସ୍ନା ।।


ସ୍ମୃତି ତମେ କେବେ ଝାଉଁବଣ ଛାଇ

କେବେ ଲାଗ ନୀଳକଇଁ

ନୀଳ ସାଗରର ନୀଳଢେଉ କେବେ

କେବେ ଶୂନ୍ୟ ବେଳାଭୂଇଁ  ।।


ସ୍ମୃତି ତମେ କେବେ ଢଳ ଢଳ ସ୍ବଚ୍ଛ 

ଶିଶିରର ମୁକ୍ତା ବିନ୍ଦୁ 

କେବେ ତମେ ଲାଗ ତମିସ୍ରା ବଳୟ

କେବେ ପୁନେଇଁର ଇନ୍ଦୁ  ।।


ସ୍ମୃତି ତମେ କେବେ ମୁଗ୍ଧ ତପୋବନ

କେବେ ସ୍ନିଗ୍ଧ ପାରିଜାତ

କେବେ ଲାଗ ତମେ କସ୍ତୁରୀ ସୁବାସ

କେବେ ଛନ୍ଦହରା ଗୀତ  ।


ସ୍ମୃତି ତମେ କେବେ ଅଙ୍କାବଙ୍କା ନଈ

କେବେ ଛାଇ କେବେ ଖରା

କେବେ ଲାଗ ତମେ ମରୁ ମରୀଚିକା

କେବେ ମୋତି କେବେ ହୀରା  ।।


ସ୍ମୃତି ତମେ କେବେ ମଲାଜହ୍ନ ପୁଣି

କେବେ ଲାଗ ଅସ୍ତରାଗ

କେବେ ଲାଗ ତମେ ଅଳସ ଉଦାସ

କେବେ ମୋ ହୃଦ ଆବେଗ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy