ସ୍ମୃତି ସ୍ମରଣେ
ସ୍ମୃତି ସ୍ମରଣେ
ବାଲିଆପାଳ ମଣ୍ଡଳେ ଅଛି
ସୁନାରୁଇ ଜନପଦ
ପଣ୍ଡାବଂଶେ କନିଷ୍ଠ ପୁତ୍ର
ଜନ୍ମିଥିଲା ସତ୍ୟପଦ ।
ସପ୍ତମୀ ତିଥିରେ ଅସ୍ତମିତ
ହେଲା ଜୀବନ ରବି
ବତ୍ରିଶ ବସନ୍ତ କାନ୍ଦେ ବାହୁନି
ଉଦାସୀ ଛାୟାଛବି ।
ସପ୍ତମୀ ତିଥିରେ ବାହୁଡିଲ
ହୃଦଘାତେ ଅକସ୍ମାତେ
ପାର୍ବଣ ଋତୁରେ ଟଳି ପଡିଲ
ପୂଜା ଅର୍ଚ୍ଚନା ମନ୍ତ୍ରସ୍ତୁତେ ।
ବିଶ୍ୱାସ କରୁନି ଚର୍ମଚକ୍ଷୁ ଦ୍ଵୟ
ଲୋତକରେ ପ୍ଳାବିତା
ରକ୍ତ ମାଂସ ଶରୀର ଭ୍ରମ
ଲେଲିହାନ ଜୁଇ ଭକ୍ଷିତା ।
ତୁମ୍ଭେ ଆଯୁଷ୍ମାନ ତୁମ୍ଭେ କିର୍ତ୍ତୀମାନ
ବନ୍ଧୁ ବତ୍ସଳ ସବୁରି
ତୁମରି ସ୍ମରଣେ ସ୍ମୃତି ଚାରଣେ
ଆଖି ଭିଜେ ବାରିକି ବାରି ।
ସ୍ମୃତି ଝରକାରେ ତୁମ ଚାରୁହସ
ଯେବେ ଉଙ୍କି ବସେ ରସେ
ଖଣ୍ଡ ବିଖଣ୍ଡିତ ହୃଦୟ କାନନ
କରୁଣ ଶୋକେ ବିରସେ ।
ଆହେ ମାତେଶ୍ୱରୀ ଦୁର୍ଗା ଶାକମ୍ବରୀ
ସପ୍ତମୀ ତିଥିରେ ଧ୍ୟାୟୀ
ପ୍ରାଣପକ୍ଷୀ ତାର ଉଡିଗଲା ଛାର
ମା' ପାଦ ପଙ୍କଜେ ସ୍ଥାୟୀ ।
କେହି ରହିନାହିଁ ଏ ଭବ ସାଗରେ
ଅଜେୟ ଅମର ହୋଇ
ସର୍ବେ ଦଗ୍ଧ ହେବେ ଜୁଇରେ ଶୋଇବେ
.ଛ' ଖଣ୍ଡ କାଠେ କୋକେଇ ।
ଦୁଃଖ ତ ଏତିକି ଯୌବନ ଜୀବନ
ସ୍ନେହମୟୀ ଥାଉ ଥାଉ
କେଉଁ ଦର୍ପେ ତାକୁ ନେଲ ଜମାଳୟ
ଜ୍ୟେଷ୍ଠ ତ୍ରୟୀ କହୁ କହୁ ।
କେ ରୋକିବ ସେହି ରକତ ରୁଧିର
ଶୂନ୍ୟ ନୟନ ଧାରେ
ବାହୁନି କାନ୍ଦୁଛି ଯଜମାନ ସର୍ବେ
ତୃଣ ପୁଷ୍ପ ଗାରେ ଗାରେ ।
ପଦଚିହ୍ନ ହେଉ ଅକ୍ଷୟ ଅମର
ଜନ ମାନସରେ ସଦା
ନିର୍ବାଣ ପାଲିଙ୍କି ଚଢି ସ୍ଵର୍ଗଦ୍ଵାରେ
ବୈକୁଣ୍ଠ କାନନେ ସିଧା ।
