STORYMIRROR

NIBEDITA MOHAPATRA

Inspirational

3  

NIBEDITA MOHAPATRA

Inspirational

ସମର୍ପିତ ମହାନାୟକ

ସମର୍ପିତ ମହାନାୟକ

1 min
11.5K


ହୃଦୟେ ନ ରଖି ସଂଶୟ ଭୀତି

ନ ମାନନ୍ତି କେବେ ବରଷା ତାତି

ଦିନ ହେଇଥାଉ ଅବା ସେ ରାତି

ରହିଥାନ୍ତି ସଦା ସେବାରେ ମାତି॥

ନ କରି କେବେ କିଛି ଅଭିଯୋଗ

କରୁଥାନ୍ତି କର୍ମ ଦେଇ ମନଯୋଗ

କର୍ତ୍ତବ୍ଯ ପ୍ରତି ରଖି ଅନୁରାଗ

ନିଜ ସୁଖ ଶାନ୍ତି କରନ୍ତି ତ୍ୟାଗ॥

ଭାରତ ମା'ର ସେ ଯୋଗ୍ୟ ସନ୍ତାନ

କେ ପାରିବ ହୋଇ ତାଙ୍କ ସମାନ

ନିଜ ପ୍ରାଣର ଦେଇ ବଳିଦାନ

ରଖିଥାନ୍ତି ଦେଶ ଜାତିର ମାନ॥

ରାଜରାସ୍ତା ହେଉ ବା ସିମାନ୍ତର

କେବେ ପୁଣି ସାଧାରଣ ଜନର

କାନ୍ଧରେ ଯାହାର ସୁରକ୍ଷା ଭାର

ସୁରକ୍ଷାକର୍ମୀ ଯେ ନାମ ତାଙ୍କର॥

ଭୁଲେଇ ଦେଇ ଘର ପରିବାର

ପାଶୋରି ଭାବନା ନିଜ ସୁଖର

ମନେ ବହି ଦୃଢ ସଂକଳ୍ପ ଧାର

କର୍ମ ପଥେ ହୁଅନ୍ତି ଅଗ୍ରସର॥

ରୋଗୀଙ୍କର ସେବା ଯାହାର କାମ

ଡାକ୍ତର,ସେବିକା ତାଙ୍କରି ନାମ

ସର୍ମପଣ ଭାବେ କରି କରମ

ସାଜନ୍ତି ଦ୍ବିତୀୟ ଈଶ୍ବର ସମ॥

ନାହିଁ ତାଙ୍କ ପାଖେ ଘୃଣା ଭାବନା

କର ସ୍ପର୍ଶେ ଦୂର ହୁଏ ଯାତନା

ବିପତ୍ତି କାଳେ ରହି ଦୃଢମନା

ଦେଇଥାନ୍ତି ସେ ସଭିଙ୍କୁ ସାନ୍ତ୍ବନା॥

ଯେଉଁ ସ୍ଥାନେ ଆମେ କରୁଛୁ ବାସ

ସେହି ତ ଅଟେ ଆମ ପରିବେଶ

ଆବର୍ଜନା ତାକୁ କରିଲେ ଗ୍ରାସ

ସୌନ୍ଦର୍ଯ୍ୟ ତାହାର ହୁଅଇ ନାଶ॥

ରଖଇ ତାକୁ ଯିଏ ପରିଷ୍କାର

ସଫେଇ କର୍ମୀ ଯେ ନାମ ତାହାର

ବୁଲି ବୁଲି ସବୁ ଗଳି ନଗର

ନିର୍ମଳ କରଇ ସବୁ ସହର॥

ଯା' ଲାଗି ବଞ୍ଚୁଛୁ ସୁସ୍ଥ ଜୀବନ

ସାଜିଛି ସବୁରି ଦୃଷ୍ଟିରେ ହୀନ

ନ ଦିଅନ୍ତି କେହି କେବେ ସମ୍ମାନ

ତଥାପି ନ କରେ ସେ ଅଭିମାନ॥

କାହା ବାଧା ପ୍ରତିବାଦେ ନ ଡରି

ରହିଥାନ୍ତି ସଦା ପ୍ରହରୀ ପରି

ବାଣ୍ଟନ୍ତି ଖବର ସଂଗ୍ରହ କରି

ଗଣମାଧ୍ୟମ ନାମଟି ତାହାରି॥

ନିରପେକ୍ଷତାକୁ କରି ଭୂଷଣ

ଭୁଲିଯାଇ ସବୁ ନିଜ କଷଣ

ଦେଶ ହିତ ପାଇଁ ନେଇ ସେ ପଣ

କରୁଛନ୍ତି କର୍ମ ହୋଇ ମିଳିଣ॥

ଧନ୍ୟ ସ୍ବେଚ୍ଛାସେବୀ ଭଉଣୀ ଭାଇ

ସହାୟତା ହାତ ଦେଲ ବଢେଇ

ଭୋକିଲା ପେଟରେ ଆହାର ଦେଇ

ମଣିଷ ପଣିଆ ଦେଲ ଶିଖାଇ॥

ପଶୁପକ୍ଷୀ ହେଉ ଅବା ମଣିଷ

ସଭିଙ୍କୁ ଦେଲ ସ୍ନେହ ପରଶ

ଦୂର କରି ସଭିଙ୍କ କ୍ଷୁଧାରସ

ପ୍ରତିଦାନେ ପାଇଲ ଶୁଭାଶିଷ॥

ଆସରେ ସଭିଏଁ ହେବା ମିଳିତ

ରଖିବା ଏଇ ଦେଶ ମହତ

ସୁରକ୍ଷାରେ ହୋଇଛନ୍ତି ଯେ ମତ୍ତ

କରିବା ତାଙ୍କ ପାଦେ ମଥାନତ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational