ସ୍ମରଣୀୟ ବର୍ଷ ୨୦୧୯
ସ୍ମରଣୀୟ ବର୍ଷ ୨୦୧୯
ଦୁଇ ହଜାର ଊଣେଇଶ ମସିହା
ଥିଲା ଘଟଣା ବହୁଳ ,
ଦେଶ ଆଉ ରାଜ୍ୟ ଲାଗି ଅଟେ ଏହା
ଭଲ ମନ୍ଦ ମିଶା ବେଳ ।
ନବୀନ ଓ ମୋଦି ପୁନଃ ନିର୍ବାଚିତ
ହୋଇଲେ ଏ ଦେଶ -ରାଜ୍ୟେ ,
ବହୁ ସମସ୍ୟାକୁ ସାମନା କରିକି
ଲାଗିଗଲେ ହିତ କାର୍ଯ୍ୟେ ।
ଜାମ୍ମୁ କାଶ୍ମୀରରୁ ତିନିଶ ସତୁରୀ
ଧାରା ଉଠାଇଲେ ମୋଦି ,
ଲାଦାଖ ସହିତ କେନ୍ଦ୍ରଶାସିତ ସେ
ଅଞ୍ଚଳ ହୋଇଛି ଆଜି ।
ଶହ ଶହ ବର୍ଷ ପ୍ରତୀକ୍ଷା ପରେଟି
ଦେଲା ନ୍ୟାୟାଳୟ ରାୟ ,
ଅଯୋଧ୍ୟାରେ ରାମ ମନ୍ଦିର ହୋଇବ
ଶୁଭିବ ଶ୍ରୀରାମ ଜୟ ।
ଇସ୍ରୋ ଚନ୍ଦ୍ରଯାନ ପ୍ରେରଣ କ୍ଷେତ୍ରରେ
ବୈଜ୍ଞାନିକଙ୍କ ଉଦ୍ୟମ ,
ପ୍ରଶଂସନୀୟ ତା' ଥିଲା ସାରା ବିଶ୍ବେ
କଲେ ସବୁ ଧନ୍ୟ ଧନ୍ୟ ।
ମୋଦିଙ୍କ ଇଶାରା ପାଇ ସେନାଧକ୍ଷ
ଶତ୍ରୁ ଦେଶେ ଆକ୍ରମଣ ,
କରି ଜଣାଇଲେ ଆମେ ସିଂହ ଶିଶୁ
ଭାଙ୍ଗି ପାରୁ ଶତ୍ରୁ ଟାଣ ।
ସୁଷମା ସ୍ୱରାଜ ,ଅରୁଣ ଜେଟଲି
ବିଜ୍ଞ ରାଜନେତା ଦୁଇ ,
ଆମ ଗହଣରୁ ଚାଲି ଗଲେ ସିନା
ଅଛି ତାଙ୍କ ଯଶ ରହି ।
ଓଡ଼ିଶାରେ 'ଫନି' କରାଳ ରୂପଟି
ଦେଖାଇଲା ମଇ ମାସେ ,
ବହୁ କ୍ଷତିଗ୍ରସ୍ତ ହୋଇଲା ଏ ରାଜ୍ୟ
ହଇଚଇ ହେଲା ଦେଶେ ।
ଗଛଳତା ,ଘରଦ୍ୱାର ଭାଙ୍ଗିଗଲା
ବିଜୁଳିକୁ ପାଣି ବନ୍ଦ ,
ଲୋକଙ୍କ ସହିତ ଜୀବଜନ୍ତୁ କଷ୍ଟ
ଦେଖି ମାଡ଼ୁଥିଲା କାନ୍ଦ ।
ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ହେଲା
ଯୁଦ୍ଧ ଭିତ୍ତିରେ ତ କାର୍ଯ୍ୟ ,
ଓଡ଼ିଶାବାସୀ ବି ସହଯୋଗ କଲେ
ଦେଖାଇଲେ ତାଙ୍କ ଧୈର୍ଯ୍ୟ ।
ଏ ବିଶ୍ବର ଶ୍ରେଷ୍ଠ ଐତିହ୍ୟରସ୍ଥଳୀ
ଭାବେ ଗଢ଼ିବାକୁ 'ପୁରୀ' ,
ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା
ବାଧା କେତେ ସାମ୍ନା କରି ।
ଲିଙ୍ଗରାଜଙ୍କର ସୌନ୍ଦର୍ଯ୍ୟକରଣ
କରା ଯାଉଅଛି ମଧ୍ୟ ,
ବିନ୍ଦୁସାଗରର ପୁନରୁଦ୍ଧାର ଯେ
କରିବା ସ୍ୱାଗତଯୋଗ୍ୟ ।
ଖୋରଧା ପାଇକ ବିଦ୍ରୋହକୁ ଶେଷେ
ସର୍କାର ମାନ୍ୟତା ଦେଲେ ,
ରାଷ୍ଟ୍ରପତି ଆସି ଜୟୀ ରାଜଗୁରୁ
ମୂର୍ତ୍ତି ଉନ୍ମୋଚନ କଲେ ।
ଏହିଭଳି ଭାବେ ବିଗତ ବର୍ଷଟି
ଅଛି ସ୍ମରଣୀୟ ହୋଇ ,
କହୁଥିଲେ ଯେତେ କଥା ସରିବନି
ରାତି ପଛେ ଯିବ ପାହି ।
