ସମ୍ପର୍କ
ସମ୍ପର୍କ
ସମ୍ପର୍କ ଗଢିଲା କିଏ ଆମେ ଜାଣୁନା
ବିଧାତା ତିଆରି ସ୍ନେହ ଶ୍ରଦ୍ଧା ତାର ନାଁ
ଥରେ ଭାଙ୍ଗି ଗଲେ ଆଉ ଯୋଡି ହୁଏନା
ଭଙ୍ଗୁର କାଚ ଘର ସେ ମନ ଆଇନା
ଆଘାତ ପାଇଲେ ଥରେ ହୁଅଇ ଚୂନା ।୧।
ପିତା ମାତା ଭାଇ ଭଗ୍ନୀ ବନ୍ଧୁ ସୋଦର
ପରିବାରେ ଭାର୍ଯ୍ୟା ସୁତ କନ୍ୟା ଆବର
ସୁଖ ବେଳେ ସମ୍ପର୍କର ଲଗାନ୍ତି ଡୋର
ଦୁଃଖ ବେଳେ ନିକଟରୁ ହୁଅନ୍ତି ଦୂର
ମାଟିର ଏଇ ସଂସାରେ ସମ୍ପର୍କ ସୁନା ।୨।
ମମତା ମଧୁ ମଧୁର ଦିବ୍ୟ ଅମୃତ
ସମ୍ପର୍କ ବଳେ ପୃଥିବୀ ଚଳେ ନୀରତ
ଦେବଙ୍କୁ ଦୁର୍ଲଭ ଏଇ ସମ୍ପର୍କ ସୂତ୍ର
ବନ୍ଧୁତା ପ୍ରେମ ମାଧୁର୍ଯ୍ୟ ବିଶ୍ବେ ଶାଶ୍ଵତ
ସମୟ ଆସିଲେ ଆମେ ଜାଣିବା ସିନା।୩
ଅମୃତ ସନ୍ତାନ ଆମେ ଶ୍ରେଷ୍ଠ ଧରାରେ
ମରତେ ସମ୍ପର୍କ ସାର ନର ବିଚାରେ
ପଶୁ ଗଣେ ଗଣା ସମ୍ପର୍କ ଅଭାବରେ
ସାମାଜିକ ସଂସ୍କାର ଏ ବହନ କରେ
ପ୍ରକୃତି କୁ ପୁରୁଷ କି କରିବ ମନା ?।୪।
ପ୍ରିୟା ପ୍ରୀତି ପରିଣୟ ପିତୃତ୍ବ ପ୍ରାଣେ
ସମ୍ପର୍କ ଗଢି ଉଠଇ ଆପଣା ପଣେ
ଆକାଶ ସହ ସମ୍ପର୍କ ପୃଥିବୀ ଜାଣେ
ପଞ୍ଚଭୂତ ସମ୍ପର୍କରେ ଦେହ ନିର୍ମାଣେ
ଅପୂର୍ଣ୍ଣ ରହିବା ଆମେ ସମ୍ପର୍କ ବିନା
ସମ୍ପର୍କ ଗଢିଲା କିଏ ଆମେ ଜାଣୁନା ।୫।
