ସମ୍ମୋହନ
ସମ୍ମୋହନ
ପାଦ ଚାଲେ ଆଗ ପଛ ହେଇ
ଅହଂକାର କୁ ବନ୍ଦୀ କରି
ନାହିଁ ସେଠି ସ୍ୱାର୍ଥର ଯୁଦ୍ଧ
ପ୍ରେମରେ ଆବଦ୍ଧ.....,
କିଏ ସେ ଯାଦୁଗର !
କଲା ସମ୍ମୋହନ, ବାନ୍ଧିଦେଲା ସମନ୍ୱୟର ବେଢି....... ||
ଇଛା କୁ ବାନ୍ଧି କାହାର ଡୋରୀରେ !
ଆଦେଶ ନିର୍ଦେଶ ରେ ପାଣି ନିଗାଡ଼
ମାଙ୍କଡ଼ା ପଥର କଠୋର ଛାତିରୁ,
ତୁମେ ସମ୍ମୋହିତ, ନିସ୍ତେଜ
ସିଂହାସନ କୁ ଜାବୁଡି ଧରିଥିବା ରାଜାଙ୍କର !
ଆଲୁଅ ବି ପ୍ରକାଶ ଜାହିର କରେ ଅନ୍ଧାର ସମ୍ମୋହନରେ.......... ||
ଦୂର ଆକାଶ ରୁ ମେଘ ଖଣ୍ଡ ପିଟି ହୁଏ
ପର୍ବତର ଧୈର୍ଯ୍ୟ ସ୍ଥିର ଚୂଡ଼ା ରେ
ସମ୍ମୋହିତ ହୁଏ ବର୍ଷା ଛୁଇଁ ଯାଏ ମାଟିର ଦେହ !
କିଏ ଡାକେ? କାହା ଅନୁରୋଧ?
ନିଜ ପଥ ବଦଳେଇ ଚୁମେ ପୃଥିବୀର ବକ୍ଷ
ନଦୀ ବି ପାଗଳ ପ୍ରାୟ ବୋହି ଯାଏ ସମୁଦ୍ରର ସମ୍ମୋହନରେ......... ||
ତମେ କୁହ ଅଶ୍ରୁ କୁ ମୁଁ ସମ୍ମୋହିତ କରିଛି!
ସେ ତ ଦୁଃଖ ରେ ସମ୍ମୋହିତ ଝରେ ଓଠ ଛୁଇଁ
ତମେ ହରେଇଦିଅ ନିଜସ୍ୱ ଚେତନାର ଭାଗିଦାର
ଫୁଲ ଫୁଟି ହସି ଉଠେ ଯେବେ ପ୍ରେମ କରେ ମୋହିତ !
କାହାକୁ ଦେବ ଦୋଷ? ସମୟ କୁ !
ସମୟ ବି ସମ୍ମୋହିତ କବିର ଲେଖନୀ ମୁନ ରେ........... ||
ଏ ସମ୍ମୋହିତ ସଂସାର ପ୍ରଗଳ୍ଭ ମୋହିତ ଅସ୍ତ ବ୍ୟସ୍ତ
ଆତ୍ମା କଥା ମୋଟେ କୁହନି, ଯିଏ ମୃତ୍ୟୁ ରେ ସମ୍ମୋହିତ !
କେମିତି ଏ ମାୟାଜାଲ? ସମ୍ମୋହିତ କୋଟି ବସ୍ତୁ,
କୁମୁଦିନୀ ହସେ ଜ୍ୟୋସ୍ନା ର ସମ୍ମୋହନରେ
ତମେ କାହା ପାଇଁ ସମ୍ମୋହିତ!ଯୌବନ ବି ସମ୍ମୋହିତ
ଜନ୍ମ ମୃତ୍ୟୁର ଫାଶ ରେ.......,
ତୁମେ ସମ୍ମୋହିତ କାହାର ନା କାହାର ସମ୍ମୋହନରେ
ଏଠି ବାସ୍ନା ଖେଳେ କୋଣେ କୋଣେ ପବନର ସମ୍ମୋହନରେ,
ଘୃଣା ହାରେ ପ୍ରତି ଥର ପ୍ରେମର ସମ୍ମୋହନରେ............||