ହସୁଥାଏ କଳାକାର
ହସୁଥାଏ କଳାକାର
ଜହ୍ନର ଜୋଛନା ଆଞ୍ଜୁଳାରେ ଭରି
ଆଲୋକିତ କରେ ସଂସାର
ତମେ କି ବୁଝିବ ମନର ବେଦନା
ହସୁଥାଏ କଳାକାର..... ||
ସପନ ସାଉଁଟି ଆଶା ରେ ସଜାଏ
ଶ୍ରାବଣକୁ ଡାକି ପ୍ରେମରେ ଭିଯାଏ
ଢାଳି ଦିଏ ସାତ ସ୍ୱର
ତଥାପି ଜାଣେନା ଦୁନିଆ ଆଗରେ
ହେଇଯାଏ ସେ ପର,
ହସୁଥାଏ କଳାକାର...... ||
କାନଭାସ ରେ ନୂଆ ସର୍ଜନା କରେ
ଅଳସି ନଦୀରେ ବନ୍ୟା ଆଣେ
ପାଣି କୁ କରେ ସେ ପଥର
ଦୁନିଆ ପାଇଁକି ଲୁହକୁ ଆଦରି
ଗଢେ ସେ ସୁଖର ଘର,
ହସୁଥାଏ କଳାକାର........ ||
ନିନ୍ଦା ଅପବାଦ କଳସ ମୁଣ୍ଡାଇ
ଚାଲୁଥାଏ ନିଜ ପଥ,
କଳ୍ପନା ଜଳ୍ପନା ସ୍ମୃତିର ମନ୍ତ୍ର ରେ
ଗଡ଼ାଏ ସଂସାର ରଥ ………||
ଅମୃତକୁ ଢାଳି ପିଏ ସେ ଜହର
ଆଲୋକ ଓଜାଡ଼ି ନିଏ ସେ ଅନ୍ଧାର
ସପନକୁ କରି ସାତ ପର
ଦୁନିଆ ଆଗରେ ପ୍ରେମ ବଗିଚାରେ
ସାଜେ ସେ ପାଗଳ ଭଅଁର
ନଥାଏ କାହାକୁ ଡର,
ହସୁଥାଏ କଳାକାର........ ||
ହସୁଥାଏ କଳାକାର........ ||
