ସମ୍ମାନ
ସମ୍ମାନ
ଅନ୍ତର ଭିତରୁ ସମ୍ମାନ ଟିକିଏ
ଦେବାକୁ ଚାହୁଁଚ ଯଦି ସତରେ
ଅନ୍ନଦାତା ମୋର କୃଷକ ଭାଇଙ୍କୁ
ସମ୍ମାନ ଜଣାଅ ସ୍ୱଚ୍ଛ ମନରେ ।
ଟାଣୁଆ ଦେହରୁ ରକତ ନିଗାଡି
ଖଟନ୍ତି ନିଇତି ଶସ୍ୟ କ୍ଷେତରେ
ସକାଳରୁ ସଞ୍ଜ ସପନ ଦେଖନ୍ତି
ଆହାର ଭରିବେ ଆମ ମୁଖରେ ।
ସମ୍ମାନ ଟିକିଏ ଦେବାକୁ ଖୁସିରେ
କୁଣ୍ଠାବୋଧ କରନାହିଁ ହୃଦରେ
ସୈନିକ ଭାଇଠୁ କିଏ ବା ବିଶ୍ୱସ୍ତ
ଭାବିକି କୁହ ତ ମୁକ୍ତ କଣ୍ଠରେ ।
ଦିନରାତି ଭୁଲି ଶୀତ ଖରା ସହି
ଜାଗ୍ରତ ରୁହନ୍ତି ଦେଶ ସୀମାରେ
ଶତ୍ରୁର ଗତିକୁ ଅବରୋଧ କରି
ଅଙ୍କୁଶ ଲଗାନ୍ତି ନିଜ ଖୁସିରେ ।
ନିରୀହ ଶ୍ରମିକ ଭାଇଙ୍କୁ ମୋହର
ସମ୍ମାନ ଜଣାଅ ସଦା ଭକ୍ତିରେ
ଗଢ଼ା ଏ ଜଗତ ସକଳ କୀରତ୍ତି
ତାଙ୍କରି ଶକତ ବାହୁ ବଳରେ ।
ଖରବର୍ଷା ଶୀତ ଖାତିର ନକରି
ପଥର ସଦୃଶ ଶିଳ୍ପୀ ସାଥିରେ
ମାଟି ପାଣି ବୋହି ଆମ ଖୁସି ପାଇଁ
ନାନା ଦ୍ରବ୍ୟ ଗଢ଼ିଥାନ୍ତି ଧରାରେ ।
ଭାବନା ବିସ୍ତାରି ଅବଦାନ ସ୍ମରି
ସମ୍ମାନ କରିବା ବିନା ଚାପରେ
ସରଗ ସମ୍ପଦ ଲଭିବା ଜୀବନେ
ଭରିବା ଆନନ୍ଦ ତାଙ୍କ ଓଠରେ ।
ସମ୍ମାନ ବିହୁନେ ଜୀବନଟା ଶୂନ୍ୟ
ସମ୍ମାନ ସମ୍ପଦ ଜୀବକାଳରେ
ଯାହା ପାଇଁ ଶାନ୍ତି ପ୍ରାପ୍ତି ଜୀବନରେ
କେମିତି ଭୁଲିବା କୁହ ତ ଥରେ ?
