ସମ୍ଭାବନାର ସମାଧି
ସମ୍ଭାବନାର ସମାଧି
କବିତା - ସମ୍ଭାବନାର ସମାଧି
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୦୧-୨୦୨୬
++++++++++++++++
ପାଳିତ ହେଲା ମହାର୍ଘ ନୂଆବର୍ଷ
ହ୍ବାଟସପ ମ୍ୟାସେଜରେ ବଣ୍ଟାହେଲା
ସମ୍ଭାବନାର ନବ ଉନ୍ନେଷ
କୋହଲା କୁହୁଡିରେ
ହାଡ଼ଥରା ଶୀତରେ
କମ୍ବଳ ଭିତରେ ଶୋଇ ଶୋଇ
ମିଛି ମିଛିକା ଫୋନକଲ୍ ଭିତରେ ଖୁସିହର୍ଷ
କ୍ଷଣିକ ହର୍ଷ ବର୍ଦ୍ଧନ ଭିତରେ
କେଇ ଘଣ୍ଟାର ହର୍ଷ ଉଲ୍ଲାସ ମଧ୍ୟରେ
ରାଜଧାନୀରେ ପିଇଗଲେ ୩୨ କୋଟିର ମଦିରା
ପଲଉ ବିରିୟାନୀ ମାଂସ ଖାଇଲେ କେଇ ପରାର୍ଦ୍ଧେ ସହର ସାରା
ଜିରୋ ନାଇଟରେ ଝୁମିଲେ ନାରୀପୁରୁଷ ରାତିସାରା
ବର୍ଷ ପରା ବୟସର ପାନ୍ଥଶାଳା
ସମୟ ପରା ଦର୍ପଣର ମୁଖଶାଳା
ପଲିଥିନରେ ବନ୍ଧା କେଜିଏ ମାଂସର ବୁଜୁଳା
ସରିଗଲା ଜୀବନ ଆୟୁଷରୁ କ୍ଷତାକ୍ତ ଭଗ୍ନଶୀଳା
ରୁଷିଆ ସଜେଇଲାଣି ପରମାଣୁ ବୋମା
ଅହଙ୍କାର ନାଭିକେନ୍ଦ୍ରେ ପରା ତମ୍ପସାପର ଜହର ଜମା
ସାରା ଆକାଶରେ ପରା ଅନ୍ଧାରର ଅନନ୍ତ ରାଜୁତି
ଗରିବର ଦାନାପାଣିରେ କଣ୍ଟକ
ଦିନ ମଜୁରିଆର ତତଲା ନିଶ୍ୱାସ ବି ଅଟକ
ଦରପୋଡ଼ା ଭାଗ୍ୟ ଝୁଲୁଛି
ବାଇ ଚଢ଼େଇର ବସା ପରି
ଆକାଶ କୁସୁମ ଅପହଞ୍ଚ ଆକାଂକ୍ଷା ପରି
ପାଉଁଶ ତଳର ନିଆଁ ପରି
କେବଳ ଭାବନା ବନ୍ଧନୀରେ ବିଚାର ବିମର୍ଶ
ମିଛର ଉଇହୁଙ୍କା ଉପରେ ଆଧାର ଶିଳା ସଦୃଶ
ଯାହାହେଉ
ପାଳିତ ହେଲା ଇଂରାଜୀ ନୂଆବର୍ଷ
ସମ୍ଭାବନାର ନୂତନ ସମାଧି ଶିଖରେ ମିଛ ଉନ୍ମେଷ I
