ସିକ୍ତ ଅନୁରାଗ
ସିକ୍ତ ଅନୁରାଗ
ସେ ଧୂଁଆଳିଆ ଆବେଗ ଗୁଡ଼ିକୁ ଏଡ଼ାଇ ଏଡ଼ାଇ
ମୁଁ ତ ଚାଲି ଯାଇଥିଲି ଅନେକ ଦୂରକୁ
ଯେବେ ତୁମର ଛବିଟିଏ
ଆଖି ଆଗକୁ ଆସିଲା,
ପୁଣି ହଜିଗଲି ତୁମରି ସ୍ମୃତିରେ........।
କିଛି ସିକ୍ତ ଅନୁରାଗ
ମୋ ସମର୍ପଣ ରାସ୍ତାର
ପାବନ୍ଧି ଟିଏ ଥିଲା
ସେ ବନ୍ଧନରେ ଘୃଣା ନ ଥିଲା,
ରାଗ ବି ନ ଥିଲା
କେବଳ ଥିଲା ଆଞ୍ଜୁଳାଏ ଅଭିମାନର
ଗୋଲାପୀ ପାଖୁଡ଼ା.
ଏକାନ୍ତରେ ଗୁଞ୍ଜରିତ ହେଉଥିବା
ମଧୁର ସଙ୍ଗୀତ.....
ଜୀବନର ଲମ୍ବା ରାସ୍ତାରେ
ତୁମ ଅନୁଭଵର ପୂର୍ଣ୍ଣତା ।
ମୁହୂର୍ତ୍ତଟିଏ ତ ମାଗିଥିଲି ମୋ ପାଇଁ
ତୁମ ଭାରାକ୍ରାନ୍ତ ଶ୍ରମରେ
ଢୁଳାଇ ପଡୁଥିଲା ସାମୁଦ୍ରିକ ଆଖିରେ।
ଅତଳ ଗଭୀରତାରେ
ଡୁବି ରହିଥିବା ମୁଁ
ମୋ ନୀରବତାର ଅର୍ଥ
ଅନ୍ତରୀକ୍ଷରୁ ପାଇଥିବା ନିର୍ମାଲ୍ୟର
କିଛି ଅଂଶ......
ସବୁ ବୁଝି ବି ଅବୁଝା ଥିଲ ତୁମେ ।
ତୁମରି ରାସ୍ତାରେ
ଗୋଡ଼ି ପଥର ସବୁକୁ
ଉଠାଇ ଚାଲିଛି,
ସମତଳ କରିବାଜୁ
ତୁମେ ଯେ ଆସିବ,
ସେଇ ପାଦ ଚଲା ରାସ୍ତାରେ ।
ପ୍ରକାଶର ପ୍ରଥମ ପ୍ରହରରେ
ଅମୃତ ବେଳାର ଶ୍ରଦ୍ଧାରେ
ସବୁ ଦିନ ପରି.......।
ଆଜି ବି ଶୋଇ ରହେନି ମୁଁ
ସେଇ ଫର୍ଚ୍ଚା ଫର୍ଚ୍ଚା
କୁହୁଡ଼ିର ସକାଳରେ ।
ପାହାନ୍ତିଆ ବାଷ୍ପରେ
ଝାଳେଇ ପଡ଼ିଥିବା ଦୁବମାନେ କହନ୍ତି,
ଆମେବି ଅପେକ୍ଷାରେ ଅଛୁ
ଆତ୍ମୀୟତାର ସ୍ପର୍ଶକୁ ନେଇ ଆସୁଥିବା
ପାଦତଳେ ସିକ୍ତ ଅନୁରାଗରେ
ଦବି ହୋଇ ଯିବାକୁ ।