ସୀମାରୁ ଆସିଛି ଚିଠି
ସୀମାରୁ ଆସିଛି ଚିଠି
ପୁଅ ଲେଖିଥିଲା ଚିଠିଟେ ମାଆକୁ
ରକତକୁ କରି କାଳି
କାନ୍ଦିବୁନି କେବେ ମୋ ପାଇଁ ମାଆ ଲୋ
ଲୁହ ଦେବୁ ନାହିଁ ଢାଳି ।
ଭାରତ ମାତାର ସୁରକ୍ଷା ପାଇଁକି
ଚାଲିଗଲେ ମୋର ପ୍ରାଣ
ଛାତିରେ ପଥର ସାଜି ସହିଯିବୁ
ଦେଉଛି ତୋତେ ଲୋ ରାଣ ।
ଫେରିବା ବାଟକୁ ଚାହିଁବୁନି ମୋର
ଦୁଃଖ ସବୁ ସହିଯିବୁ
ଶହିଦ ପୁଅର ମାଆଟିଏ ବୋଲି
ଗର୍ବ ପରା କରୁଥିବୁ ।
ମୁଁ ପରା ସନ୍ତାନ ଭାରତ ମାତାର
ଦେଶ ପ୍ରେମ ଦୀପ ଜାଳି
ହସି ହସି ପରା ସେହି ମାଆ ପାଇଁ
ଦେଇପାରେ ପ୍ରାଣ ବଳି ।
ଜୀବନକୁ ମୋର ଭରଷା ନାହିଁ ମା'
ଆଶା ମୋର ଛାଡି ଦେବୁ
ମୋ ଭାଗ୍ୟରେ ଯଦି ଥିବ ସେହି ଦିନ
ଆଉ ଥରେ ଭେଟ ହେବୁ ।
ଶହିଦ ହୋଇଲେ ତୋର ଏହି ପୁଅ
ଝରାଇବୁ ନାହିଁ ଲୁହ
ମୋ ଯୋଗୁଁ ସୁରକ୍ଷା ପାଉଥିବେ ପରା
କୋଟି କୋଟି ଦେଶ ପୁଅ ।
ଛବି ମୁଁ ତୋହର ରଖିଅଛି ସାଥେ
ଶେଷ ଦରଶନ ପାଇଁ
ମୋ କଥାକୁ ଭାବି ଘରର କୋଣରେ
ଲୁଚି ତୁ କାନ୍ଦିବୁ ନାହିଁ ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍, ପ୍ରୀତିପୁର,ଯାଜପୁର