ସିଧାକଥା-37 ଶ୍ରେୟ କାହାର ?
ସିଧାକଥା-37 ଶ୍ରେୟ କାହାର ?
ପ୍ରକୃତି ରଚିଛି ବିଚିତ୍ର ସଂସାର ରୂପ ତା'ର ମନୋହର
ତାକୁ ଦେଖି କେହି ଆଙ୍କିଦେଲେ ଛବି ସବୁଶ୍ରେୟ ହୁଏ ତା'ର |
କାହାଣୀ ଲେଖକ ନିର୍ଦ୍ଦେଶକ ପୁଣି କଳ୍ପନା କାହାର ଥାଏ,
ସିନେମା ନାୟକ ନାୟିକାମାନଙ୍କୁ ଶ୍ରେୟତକ ମିଳିଯାଏ |
ଜନତା ଧନରେ ଜନତା ବଳରେ ସୁନା ହେଇଥାଏ ଦେଶ,
ଆମେ କରିଦେଲୁ କହି ବୁଲୁଥିବେ ନେତା ମୋଡୁଥିବେ ନିଶ |
ସୀମାରେ ସୈନିକ କ୍ଷେତରେ କୃଷକ କାମରେ ଶ୍ରମିକ ଥିବେ,
ବଡ ଅଫିସର ପେଣ୍ଠୀ ଠିକାଦାର ସବୁଯାକ ଶ୍ରେୟନେବେ |
ଲେଖନ୍ତି ଲେଖକ କବି ଦାର୍ଶନିକ ଛପାନ୍ତି ପଇସା ଦେଇ,
ପ୍ରଶଂସା ବେଳକୁ ପ୍ରକାଶକ ଆସି କହିବେ ସେ ମୋର ବହି |
ବାପା ଦେବେ ଧନ ମାଆ ଦେବେ ମନ ପିଲା ହେବ ଟିଉସନ,
ପ୍ରଧାନ ଶିକ୍ଷକ ହେବେ ପ୍ରଶଂସିତ ବିଦ୍ୟାଳୟ ହେବ ଧନ୍ୟ |
ଗାଆଁ ଟୋକା ମିଶି ଚୋରକୁ ଧରନ୍ତି କେତେ କଉଶଳ କରି,
ଥାନାକୁ ଡକେଇ ପୁଲିସ କହିବ କଷ୍ଟରେ ଆଣିଛୁ ଧରି |
ଉଡ଼ିଯିବା ଖଇ ଗଛ ଫୁଲ ଫଳ ଈଶ୍ଵରଙ୍କୁ ପ୍ରାପ୍ତିହେଉ,
ବହିଯିବା ପାଣି ଖସିଯିବା ମାଛ ଆମର ହେଇକି ଥାଉ |
