ଶୂନ୍ୟତା
ଶୂନ୍ୟତା
ଅନେକ ପାଖରୁ କରିଛି ଅନୁଭବ
ଯେଉଁ ଏକାନ୍ତ ମୁହୂର୍ତ୍ତର ନୀରବତା
କହିଛି ସିନା ତାକୁ ଶାନ୍ତ ପରିବେଶ
ଜାଣିଛି କିନ୍ତୁ ତାହା ଅସହ୍ୟ ଶୂନ୍ୟତା !
ଭରିନି ସେ ଶୂନ୍ୟତା ଶତ ଚେଷ୍ଟା ପରେ
କେଡେ ଯେ ଅସୀମ ଅପରିମିତ ସତେ
ପରିସୀମା ତା ସବୁ କଳ୍ପନା ବାହାରେ
କେଉଁ ଦୂର ଅଦୃଶ୍ୟ ଉପତ୍ୟକା ପ୍ରାନ୍ତେ !
କବିର କବିତା, ଶ୍ରାବଣ ମାଟିଗନ୍ଧ
ଚାନ୍ଦିନୀ ଆକାଶ, ବିସ୍ମୟ ପ୍ରଜାପତି
କରିପାରି ନାହାନ୍ତି ଦୂର ସେ ଶୁନ୍ୟତା
ପଚାରନ୍ତି ବରଂ "ତୁ କି ଏକାକୀ ଅତି?"
ଭାବେ ମନେ ନୁହେଁକି ଜହ୍ନ ଶୁକ୍ରତାରା
ଚିରକାଳ ମୋ ଭଳି ନିତାନ୍ତ ଏକାକୀ
ପଶ୍ଚିମ ଆକାଶେ ସୂର୍ଯ୍ୟସ୍ତ ହେବା ଅନ୍ତେ
ସୂର୍ଯ୍ୟମୁଖୀ ପାଖେ କଣବା ଥାଏ ବାକି ।
ଆସିଥିଲି ଦିନେ ଧରାବୁକେ ଏକାକୀ
ଫେରିଯିବି ପୁଣି ସମୟ ଦେଲେ ଡାକି
ଆଜି ମଣେ ଯାହାକୁ ଅସହ୍ୟ ଶୁନ୍ୟତା
ଜୀବନ ଅଭିନ୍ନ ଅଂଶ ନୁହେଁ ତାହାକି !