ଯେତେ ବି ମିଳିଳେ, ତଥାପି ଖୋଜିବି
ଯେତେ ବି ମିଳିଳେ, ତଥାପି ଖୋଜିବି
ଯେତେ ବି ମିଳିଳେ, ମନ ମୋ ବୁଝେନି
କୁହୁକ ମନ୍ତର, ଭେଦି ମୁଁ ପାରେନି
ପ୍ରେମ ମାୟାଜାଲ, ଲଂଘି ବି ହୁଏନି
ପାଇଗଲେ ପ୍ରେମ, ଖୋଜା ତ ସରେନି ।
ମା' ମିଠା ଡାକରେ, ଶିଶୁର ହସରେ
ଦେଖିଛି ପ୍ରେମକୁ, ପ୍ରିୟାର କେଶରେ
କେତେ ରୂପରଂଗେ, ଦେଶ ବିଦେଶରେ
ଦେଖିଛି ପ୍ରେମକୁ, ଅନେକ ବେଶରେ ।
ପ୍ରେମ ସୂର୍ଯ୍ୟ ହେଲେ, ସୂର୍ଯ୍ୟମୂଖୀ ମୁହିଁ
ପ୍ରେମ ମଧୁ ହେଲେ, ମଧୁମକ୍ଷୀ ମୁହିଁ
ବସନ୍ତ ଋତୁ ସେ, କୋଇଲିଟେ ମୁହିଁ
ସେ ଘନ ବଉଦ, ଚାତକଟେ ମୁହିଁ ।
ସୋମ ରସ ପ୍ରେମ, ଘାରେ ଘନ ନିଶା
ଶବ୍ଦ ଲୋଡା ନାହିଁ, ବୁଝି ହୁଏ ଭାଷା
ଉତ୍ତପ୍ତ ଜୀବନେ, ଶୀତଳ ବରଷା
ନିରାଶା ଆକାଶେ, ପ୍ରେମହିଁ ଭରଷା ।
ମହାନ ସବୁଠୁ, ସୁନ୍ଦର ଅତ୍ୟନ୍ତ
ଅଦ୍ଵିତୀୟ ସେ, ଅମାପ ଅନନ୍ତ
ଦେଖିନି ଈଶ୍ବର, ଅଛି ଅନୁଭବ
ସେ ଦିବ୍ୟଶକ୍ତିର, ପ୍ରେମ ଅବୟବ ।
ଯେତେ ବି ମିଳିଳେ, ତଥାପି ଖୋଜିବି
ନିହାତି ନିଆରା, ଯାଦୁ ପ୍ରେମନିଶା
ଯେତେବି ପାଇଲେ, ତଥାପି ଖୋଜିବି
ସରଳ ସରସ, ଶାନ୍ତ ପ୍ରେମଭାଷା ।

