ପରିଚୟ
ପରିଚୟ
ଅନେକ ଭାବିଛି ପରିଚୟ ମୋର
ସତେକି ମୁଁ ଅନନ୍ତ ଆକାଶର ଏକ ଗୁଡି!
ଯେମିତି ଚାହୁଁଛ ସେମିତି ଉଡୁଛି
ଅଦୃଶ୍ୟ ତୁମ କୁହୁକ ବନ୍ଧନ ମୋହେ ବୁଡି ।
ମୁଁ ଏକ ପ୍ରବାହମାନ ନଦୀଧାରା
ଭରିଛ ଜୀବନେ ବିପୁଳ ଶକ୍ତି ଅସରନ୍ତି
କୁଳୁ କୁଳୁ ନାଦେ ବୋହିଯାଏ ପରା
ତୁମେହିଁ ଦେଇଛ ଅବିରତ ତଡିତ୍ ଗତି ।
ଦେଖିଛି ନିଜକୁ ବାଡି ଗେଣ୍ଡୁଫୁଲେ
ଯଦ୍ୟପି ଅଂଶ ମୁଁ ଗୁଛ୍ଛର, ନିତାନ୍ତ ସ୍ବତନ୍ତ୍ର
ନିରାପଦ ମୁଁ ସମାଜ ଗୁଛ୍ଛମୂଳେ
ତବ ଆଶିଷେ ଲଭିଛି ନିଜସ୍ବ ଯୁଦ୍ଧମନ୍ତ୍ର ।
ଭାଂଗିଲେ ଦମ୍ଭ ଆସିଲେ ପ୍ରଶ୍ନଘଡି
ପାଇଛି ସ୍ବଅନ୍ତରେ ସନ୍ଧାନ ଦକ୍ଷ ବିନ୍ଧାଣୀ
ବିନ୍ଧାଣୀ ଦିଏ ରକ୍ଷା କବଚ ଗଢି
ବିପଦେ ଶୁଭଇ ତୁମ ଅମୃତ ଦିବ୍ୟବାଣୀ ।
ଅନେକ ଭାବିଛି ପରିଚୟ ମୋର
ତୁମେ ସଂଗୀତସିନ୍ଧୁ ମୁଁ କ୍ଷୁଦ୍ରାତିକ୍ଷୁଦ୍ର ରାଗ
ତୁମଠୁ ଉତ୍ପନ୍ନ ବିଲୟ ତୁମଠି
ମହାକାଳ ତୁମେ ମୁଁ ନିହାତି ନଗଣ୍ୟ ଭାଗ।
