STORYMIRROR

କାନ୍ତିପ୍ରକାଶ ବ୍ରହ୍ମା

Inspirational

5.0  

କାନ୍ତିପ୍ରକାଶ ବ୍ରହ୍ମା

Inspirational

ବିଡମ୍ବନା

ବିଡମ୍ବନା

2 mins
596


ଦିନ ଦି'ପହରେ ସ୍କୁଲରୁ ଫେରି

ଯେବେ ଘରକୁ ଆସେ ଈତି

ପାଛୋଟି ନେଇ ଜେଜେମା ତାର

ଖୁଆଇ ଦିଅନ୍ତି ନିତି ।


ପାଖେ ବସାଇ କୋଳକୁ ନେଇ

ଶୁଣାନ୍ତି ନୂଆ ପୁରୁଣା ଗୀତି

ଯିଏ ଦେଖିଛି ସିଏ ଜାଣିଛି

ଏହି ଜେଜେମା ନାତୁଣୀ ପ୍ରୀତି ।


ଲୋଡ଼ା ନ ଥାଏ ଦୁନିଆ ତାର

ଯଦି ଜେଜେମା ଥାନ୍ତି ପାଶେ

କାହିଁ ଲୋଡିବ ଆଉ କିଛି ସେ

ନିତି ସ୍ନେହ ଗେଲ୍ହାରେ ଭାସେ ।


ମନଦେଇ ଶୁଣେ କାହିଁ କେତେ

ରାଜାରାଣୀ ମଜା କାହାଣୀ

ମହାପୁରୁଷ ପିଲାଦିନ କଥା

ଆଉ ହିତୋପଦେଶ ବାଣୀ ।


ଜେଜେମା ତା'ର ଖାଲି ମା' ତ ନୁହେଁ

ସେ ସାଥୀ ସବୁଠାରୁ ପ୍ରିୟ

ତାଙ୍କ ମିଠା 'ଈତି' 'ଈତି' ଡାକ

କି ଅନନ୍ୟ ଅତୁଳନୀୟ ।


××××××


ସେଦିନ ଯେବେ ଦିନ ଦି'ପହରେ

ସ୍କୁଲ ସାରି ଆସିଲା ଈତି

ନ ଥିଲେ କାହିଁ ଜେଜେମା ତା'ର

ବଢିଲା ହୄଦ୍-ସ୍ପନ୍ଦନ ଗତି ।


ଏଘର ସେଘର ଖୋଜି ଖୋଜି

ସେ କ୍ଲାନ୍ତ ହୋଇଗଲା ଅତି

ଜେଜେମା ଚିନ୍ତାରେ ଧୀରେ ଧୀରେ

ତା' ମନେ ଭରିଗଲା ଭୀତି ।


ସୂରୁଜ ନଁଇଲା ସଂଜ ହୋଇଗଲା

ଅଫିସରୁ ଆସିଲେ ବାପା ମା'

କଇଁ କଇଁ କାନ୍ଦି ଗଡିଗଲା ଈତି

କେଉଁଠି ହଜିଗଲେ ଜେଜେମା ।


ବୁଝାଇ କହିଲେ ବାପା ମା ତା'ର

ଡରର ନାହିଁ କିଛି କାରଣ

ଯାଇଛନ୍ତି ପରା ବନ୍ଧୁଘର ସେ

ଫେରି ଆସିବେ ଆସିଲେ ଶ୍ରାବଣ ।


ବୁଝାଇ ମନକୁ ଧର୍ଯ୍ୟ ଧରି ଈତି

କରିଲା ଶ୍ରାବଣ ପ୍ରତୀକ୍ଷା

ଆସି ଚାଲିଗଲା ଦୁଇ ଶ୍ରାବଣ

ନ ମିଳିଲା ଜେଜେମା ଦେଖା ।


ଯେତେ ପ୍ରଶ୍ନ କଲେ ବାପା ମା' ତାର

କଲେ ପ୍ରଶ୍ନ ସମସ୍ତ ଉପେକ୍ଷା

ସରଳ ପ୍ରଶ୍ନର ଜଟିଳ ଉତ୍ତର

ଈତି କରି ପାରିଲାଣି ବ୍ୟାଖ୍ୟା ।


××××××××××


ଯିବା ଦେଖିବାକୁ ବୄଦ୍ଧାଶ୍ରମ ଆମେ

ଦିନେ ଗୁରୁମା କଲେ ଘୋଷଣା

ବୄଦ୍ଧାଶ୍ରମ କ'ଣ ବୁଝାଇ କୁହନ୍ତୁ

କହିଲା ଈତି ଆମକୁ ଅଜଣା ।


କହିଲେ ଗୁରୁମା ବୄଦ୍ଧାଶ୍ରମ ହେଲା

ବୄଦ୍ଧ ଲୋକଙ୍କ ଏକ ଠିକଣା

ବୁଢାବୁଢ଼ୀ ହେଲେ ଆତ୍ମୀୟ ତଡିଲେ

ଆଶ୍ରୟ ସାହାରା ବୋଲି ଗଣା


କାହିଁକି ଗୁରୁମା ବୄଦ୍ଧାଶ୍ରମ ଲୋଡ଼ା

ଥିଲେ ନିଜ ଲୋକ ନିଜ ଘର

ଜନ୍ମ କରି ଯିଏ ବଡ କରିଥାନ୍ତି

ବୁଢ଼ା ହେଲେ ହେବେ କିବା ପର ।


ଭଲ ପ୍ରଶ୍ନଟିଏ ପଚାରିଛ ଈତି

ତୁମେ ଆଉ ଦିନେ ଥୟ ଧର

କାଲି ବୄଦ୍ଧାଶ୍ରମେ ମିଶିକି ଖୋଜିବା

ଆମେ ତୁମ ପ୍ରଶ୍ନର ଉତ୍ତର ।


ବୄଦ୍ଧାଶ୍ରମର ଗହଳେ ଦେଖିଲା ଈତି

ତା ଜେଜେମା ବସିଛନ୍ତି କୋଣେ

ନିରାଶର ନୀରବରେ ବସିରହେ

ଅଲୋଡା ଜୀବଟିଏ ଯେଣେ ।


◆◆◆


Rate this content
Log in

Similar oriya poem from Inspirational