ଶୁଣିଲେ ତୁମର ଦି'ପଦ କଥା
ଶୁଣିଲେ ତୁମର ଦି'ପଦ କଥା
ଶୁଣିଲେ ତୁମର ଦି' ପଦ କଥା
ହସି କହି ଦିଅ ଯେବେ
ମୋ ମନରୁ ଦୂର ହୋଇ ଯାଏ
ଜମାଟବନ୍ଧା ବ୍ୟଥା
ମୋତେ ଲାଗେ
ପାଇ ଗଲି କି ହାତ ମୁଠାରେ
ଆକାଶର ପୁନେଇଁ ଜହ୍ନକୁ
ପାଇ ଯାଏ ମୁଁ ଆଶାର ଆଶ୍ଵାସନା
ଶାନ୍ତିର ଅପୂର୍ବ ସାନ୍ତ୍ଵନା
ଭାଗ୍ୟବାନ ମଣେ ନିଜକୁ
ବିରହର ଝାଞ୍ଜି ଖରା ତାତିରେ
ଝାଉଁଳି ପଡୁଥିବା ଚାରାଗଛଟିଏ
ଅସରାଏ ବର୍ଷା ପାଣି ପାଇ
ସତେଜ ହୋଇ ଉଠିଲା ପରି
ମୁଁ ହୋଇ ଯାଏ ସତେଜ ସବୁଜମୟ
ତୁମର ସେଇ ଦି' ପଦ
ପ୍ରେମ ପ୍ରୀତି ବୋଳା କଥାରେ
ସତରେ ଦି' ପଦ କଥାର
ରହିଛି କି ଚୁମ୍ବକୀୟ ଆକର୍ଷଣ
ସଞ୍ଚରି ଉଠେ ପ୍ରାଣରେ ପ୍ରାଣ
କରି ଦିଅ ତୁମେ ମୋତେ
ଭାବରେ ଭାବପ୍ରବଣ
ବିଜୁଳିର ତରଙ୍ଗ ଭଳି ସର୍ବାଙ୍ଗରେ
ମୋର ଖେଳିଯାଏ ଶିହରଣ
ହୋଇ ଯାଏ ମୁଁ ମନ୍ତ୍ରମୁଗ୍ଧ
ପଢ଼ି ତୁମ ଭାବର ବର୍ଣ୍ଣବୋଧ
ଜୀବନ ଜଞ୍ଜାଳ ବିଷମ ଜ୍ଵଳନ ଜ୍ଵାଳା
ସହି ଯାଏ ସବୁ ନକରି ଅନ୍ୟଥା
ସଂସାର ଲାଗେ ମଧୁମୟ ପ୍ରେମମୟ
ଶୁଣିଲେ ତୁମର ଦି' ପଦ କଥା।

